ବାଲ୍ୟ ବିବାହକୁ ନେଇ ଥାନାରେ ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ ) : ଇଞ୍ଚୋଳ ଗ୍ରାମରେ ଜଣେ ନାଁ ବାଳିକାର ବିବାହ କରାଯାଇଥିବା ନେଇ ହାଟଡିହି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଇଞ୍ଚୋଳ ଗ୍ରାମର ଅକ୍ଷୟ କୁମାର ନାୟକଙ୍କ ନା ବାଳିକା କନ୍ୟାର ବିବାହ ହେଉଥିବା ଖବରପାଇ ହାଟଡିହି ସିଡିପିଓ ଏବଂ ଆନନ୍ଦପୁର ଚାଇଲଡ ଲାଇନ ସଦସ୍ୟ ମାନେ ତାଙ୍କ ଘରକୁ ଯାଇ ବୁଝା ସୁଝା କରି ବାଲ୍ୟ ବିବାହ ଆଇନତଃ ଅପରାଧ ବୋଲି ବୁଝାସୁଝା କରିଥିଲେ । ଝିଅର ବୟସ ମାତ୍ର ୧୬ବର୍ଷ ୫ମାସ ହୋଇଥିବାରୁ ବିବାହ ନକରାଇବାକୁ ବାରଣ କରିବା ସହିତ ଝିଅଙ୍କ ପରିବାର ଠାରୁ ଏକ ଚୁକ୍ତିନାମା ମଧ୍ୟ ଲେଖି ଆଣିଥିଲେ । କିନ୍ତୁ ଗତ ଫେବୃୟାରୀ ମାସ ୨୪ତାରିଖ ଦିନ ହାଟଡିହି ବ୍ଲକ ବଣିଆରୀ ମନ୍ଦିରରେ ସେହି ନାବାଳିକାର ବିବାହ କରାଯାଉଥିବା ନେଇ କେହି ଚାଇଲଡଲାଇନକୁ ଫୋନ କରି ଜଣାଇବାପରେ ପ୍ରଶାସନ ପକ୍ଷରୁ ଏହି ବିବାହକୁ ବନ୍ଦ କରିବାକୁ ହାଟଡିହି ବ୍ଲକର ସିଡିପିଓ, ନନ୍ଦିପଦା ପୁଲିସ ଓ ଚାଇଲ୍ଡଲାଇନ ସଦସ୍ୟମାନେ ଉକ୍ତ ମନ୍ଦିରକୁ ଯାଇ କାହାକୁ ପାଇ ନଥିଲେ । ଅଧିକାରୀମାନେ ଆସୁଥିବା ଜାଣିପାରି ବର ଓ କନ୍ୟାପକ୍ଷର ଲୋକମାନେ ନା ବାଳିକା ଓ ବରକୁ ଅନ୍ୟତ୍ର ନେଇଯାଇ ଲୁଚାଇ ଦେଇଥିଲେ । ମନ୍ଦିରରେ ସେପରି କିଛି ବିବାହ ହେଉନଥିବା ଜାଣିବାପରେ ଅଧିକାରୀମାନେ ଫେରିଆସିଥିଲେ । କିନ୍ତୁ ସେହିଦିନ ଫକିରପୁର ଗ୍ରାମର ୧୧ନଂ ୱାର୍ଡର ଦିଲ୍ଲୀପ ସାହାଣି ନାମକ ଜଣେ ଯୁବକ ସହ ଉକ୍ତ ନାବାଳିକାର ବିବାହ ହୋଇଥିବା ଜଣାପଡିବାପରେ ହାଟଡିହି ବ୍ଲକ ସମ୍ମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ନନ୍ଦିପଦା ଥାନାରେ ଏନେଇ ଏଲିଖିତ ଭାବେ ଅଭିଯୋଗ କରାଯାଇଛି । ସେମାନେ ଆଇନକୁ ଅମାନ୍ୟକରି ଏପରି ବିବାହ କରାଇଥିବା ନେଇ ବିଭାଗ ପକ୍ଷରୁ ଅଭିଯୋଗ କରାଯିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ