ପାରିବାରିକ ଅଶାନ୍ତି : ବିବାହିତା ମହିଳାଙ୍କୁ ଜୀଅନ୍ତା ପୋଡି ଦେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରିବାରିକ ଅଶାନ୍ତି ଯୋଗୁଁ ଜଣେ ବିବାହିତ ମହିଳାଙ୍କୁ ଜୀଅନ୍ତା ପୋଡି ହତ୍ୟା କରାଯାଇଥିବା ଗଜପତି ଜିଲ୍ଲା ମୋହନା ଥାନାରେ ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ଭାଇ ଏହି ଅଭିଯୋଗ କରିଛନ୍ତି । ଗତକାଲି ମୋହନା ଥାନାରେ ଏନେଇ କେଶ ନମ୍ବର ୬୮/୨୧ରେ ମକଦ୍ଦମା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ମୋହନା ଆଇଆଇସି ସୁଜିତ କୁମାର ନାୟକ ଜଣାଇଛନ୍ତି । ମୃତ ମହିଳାଙ୍କ ଭାଇ ପ୍ରମୋଦ ଓ କୁମୁଦ ଥାନାରେ ଦେଇଥିବା ଅଭିଯୋଗ ଏହି ଯେ, ୨୦୧୬ ମସିହାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅକୁ ମୋହନା ଥାନା ଅନ୍ତର୍ଗତ ଗୋଠକେଳି ଗ୍ରାମର କୌଳାସ ବେହେରାଙ୍କ ପୁତ୍ର ବିବାହ କରିଥିଲେ । ଉଭୟେ ବିବାହର ୧ବର୍ଷ ପର୍ଯ୍ୟନ୍ତ ହସଖୁସିରେ ଜୀବନ ଅତିବାହିତ କରିଥିଲେ । ଉଭୟଙ୍କ ପକ୍ଷରୁ ଏକ କନ୍ୟା ସନ୍ତାନ ୨୦୧୭ ମସିହାରେ ଜନ୍ମ ଦେଇଥିଲେ । ତା’ପରେ ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ଝିଅ ଜନ୍ମକୁ ନେଇ ସ୍ୱାମୀ ମଧୁସୂଦନ ବେହେରା ଓ ସ୍ତ୍ରୀ ମାନିନୀ ବେହେରାଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ହେବା ସହ ପାରିବାରିକ ଅଶାନ୍ତି ବଢି ଚାଲିଥିଲା । ଏଥିରେ ସ୍ୱାମୀ ମଧୁସୂଦନ ଓ ତାଙ୍କ ପରିବାର ମାନିନୀଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରିଥିଲେ । ପୁଣି ୨୦୧୯ ମସିହାରେ ମଧୁସୂଦନଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁତ୍ର ସନ୍ତାନ ଜନ୍ମ ପରେ ସ୍ତ୍ରୀ ଉପରେ ସନ୍ଦେହ କରି ଏହା ମୋର ପୁଅ ନୁହେଁ ବୋଲି କହି ଆସୁଥିଲେ ମଧୁସୂଦନ । ଏହା ସହ ମଧୁସୂଦନଙ୍କ ପରିବାରର ବାପା କୌଳାସ ବେହେରା, ମାଆ ରତନୀ ବେହେରା, ଯାଆ ସୁନା ବେହେରା, ଦେଢଶୁର ଲୋଚନ ବେହେରା, ଦିଅର ଜାରା ବେହେରା, ନଣନ୍ଦ ଜୋସ୍କା ମାଳି ମିଳତ ଭାବେ ପ୍ରତ୍ୟେକ ଦିନ ମାନିନୀକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏହି ଖବର ନିଜ ଭାଇ କୁମୁଦ ନାୟକଙ୍କୁ ଫୋନ ମାଧ୍ୟମରେ ମାନିନୀ ବାରମ୍ବାର ଜଣାଇ ଆସୁଥିଲେ । ଏହି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ମତାନ୍ତର ରହିଥିଲା । ୧୩.୦୩.୨୦୨୧ ଅପରାହ୍ନ ୩ଟାରେ ମାନିନୀକୁ ହାତ ଗୋଡ ବାନ୍ଧି ପାଟିରେ କନା ବିଣ୍ଡା ଦେଇ କିରୋସିନି ଓ ଡିଜେଲ ଢାଳି ଜୀବନ୍ତ ମାରିଦେବା ପାଇଁ ଅଗ୍ନି ସଂଯୋଗ କରିଥିଲେ । ଏଥିରେ ମାନିନୀର ଚିତ୍କାରରେ ଗ୍ରାମବାସୀ ତଥା ପଡୋଶୀ ଜାଣିବାରେ ପରିବାର ଲୋକେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମାନିନୀକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସୋମ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣା କରିଥିଲେ । ଏନେଇ ସୋମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱର ସ୍ଥିତ ଭାରତପୁର ଥାନାରେ ଏକ ଅପମୃତ୍ୟୁ ମାମଲା ୫୨/୨୧ରେ ରୁଜୁ ହେବା ସହ କ୍ୟାପିଟାଲ ମେଡିକାଲରେ ଶବ ବ୍ୟବଚ୍ଛେଦ ହୋଇଥିଲା । ବର୍ତ୍ତମାନ ମୃତ ମାନିନୀର ବଡ ଭାଇ ପ୍ରମୋଦ ସାନ ଭାଇ କୁମୁଦ ଏହି ଘଟଣାନେଇ ମାନିନୀର ସ୍ୱାମୀ ସମେତ ଏଥିରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଗଜପତି ମୋହନା ପୋଲିସ ସହ ଭୁବନେଶ୍ୱରର ଭାରତପୁର ପୋଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ