ଯୋଡା ଟ୍ରକ୍ ମାଲିକ ସଂଘରେ ବିଜୟୀ ସଭାପତି ମାତା ଓ ସମ୍ପାଦକ ଭାବେ ସୁଶାନ୍ତ
ଯୋଡା,(ସମୀର ଦାସ): ଯୋଡା ଖଣି ଅଂଚଳରେ ଥିବା ଯୋଡା ଟ୍ରକ ମାଲିକ ସଂଘର ନିର୍ବାଚନ ଫଳାଫଳ ରବିବାର ରାତିରେ ପ୍ରକାଶ ପାଇଛି । ଖଣି ଅଂଚଳରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରକ୍ ମାଲିକ ସଂଘର ନିର୍ବାଚନରେ ବହୁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ଟ୍ରକ୍ ମାଲିକ ମାନଙ୍କୁ ନିଜ ସପକ୍ଷରେ ମତଦାନ ପାଇଁ ବହୁ ପନ୍ଥା ଆପଣେଇ ଥିଲେ । ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଭାବେ ଟ୍ରକ୍ ମାଲିକ ମାନଙ୍କର ପରିବହନ ମୂଲ୍ୟ ବୃଦ୍ଧି ଏବଂ ଡେଲିଭରି ଓର୍ଡରର ସରଳୀକରଣ ଉପରେ ଆଧାରିତ ଥିଲା । ରବିବାର ରାତି ପ୍ରାୟ ୧୧ଟା ବେଳେ ସମ୍ପୁର୍ଣ୍ଣ ଫଳାଫଳ ଜଣାପଡିଥିଲା । ସଂଘ ସଭାପତି ଭାବେ ମାତା ପ୍ରସାଦ ଜୟସ୍ୱାଲ, ସମ୍ପାଦକ ଭାବେ ସୁଶାନ୍ତ କୁମାର ବାରିକ, ଉପସଭାପତି ଭାବେ ବିଜୟ କୁମାର ଆପଟ୍ଟ, ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର କାରୁଆ, କୋଷାଧ୍ୟକ୍ଷ ଭାବେ ରାଜେଶ ରୋଶନ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନ ଉପରେ ସ୍ଥାନୀୟ ଶିଳ୍ପ ଓ ଖଣି କମ୍ପାନୀ ଗୁଡିକଙ୍କର ନଜର ରହିଥିଲା । କାରଣ ସଂଘ ସହିତ ଖଣି ଓ ଶିଳ୍ପ କମ୍ପାନୀ ମାନଙ୍କ ଆପସ ବୁଝାମଣାରେ ଖଣିଜ ପରିବହନ ମୂଲ୍ୟ ଧାର୍ଯ୍ୟ ହୋଇଥାଏ । ପରିବହନ ମୂଲ୍ୟକୁ ନେଇ ସଂଘ ଜିଦ୍ରେ ଅଟଳ ରହିଲେ ଖଣି ଓ ଶିଳ୍ପ କମ୍ପାନୀମାନେ ଲାଭ କମ୍ ପାଇଥାନ୍ତି । ଏଣୁ ସେମାନେ ସବୁବେଳେ ଟ୍ରକ୍ ମାଲିକ ସଂଘକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏହି ସଂଘ ଉପରେ ଝୁମ୍ପୁରା, ଚମ୍ପୁଆ, ରିମୁଳି, ଉଖୁଣ୍ଡା, ବିଲେଇପଦା, ଦେଓଝର, ବାମେବାରୀ, ଜୁରୁଡି, କାଳିମାଟି ପ୍ରଭୃତି ଅଂଚଳର ଟ୍ରକ ମାଲିକମାନେ ପରିବହନ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି । ସଂଘର କର୍ମକର୍ତାଙ୍କ ଉପରେ ଟ୍ରକ ମାଲିକ ମାନଙ୍କର ବ୍ୟବସାୟ ଜନିତ ଆସ୍ଥା ରହିଥିବାରୁ ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତାମାନେ ନିଜର ଭାବମୂର୍ତିକୁ କେତେ ସ୍ୱଚ୍ଛ ରଖିପାରିବେ ତାହା ସାଧାରଣରେ ଆଲୋଚନା ହେଉଛି ।


