ଭାରତୀୟ ସଂସ୍କୃତି ପ୍ରଚାର ସମିତି ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ
କଟକ, (ଯୁଗାବ୍ଦ ନ୍ୟୁଜ) : ଭାରତୀୟ ସଂସ୍କୃତି ପ୍ରଚାର ସମିତି ତରଫରୁ ହିନ୍ଦୁ ନବବର୍ଷ ଉପଲକ୍ଷେ ଚଣ୍ଡିମନ୍ଦିର ମାର୍ଗସ୍ଥିତ ସଂସ୍କୃତି ଭବନଠାରେ ଗତକାଲି ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଣ୍ଡିତ ନୃସିଂହ ଚରଣ ପଣ୍ଡା କହିଲେ ଯେ, ଆମ ପରମ୍ପରା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ସୃଷ୍ଟିର ପ୍ରଥମ ଦିବସ ହୋଇଥିବାରୁ ଆମେ ଏହାକୁ ନବବର୍ଷର ମାନ୍ୟତା ଦେଇଥାଉ । ଆମ ପାଇଁ ଏହି ଦିନର ପ୍ରାକୃତିକ, ଐତିହାସିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ୱ ରହିଛି । ଆମ କାଳଗଣନାକୁ ସମ୍ମାନ ଜଣାଇ ଜାନୁଆରି ପହିଲା ବଦଳରେ ଚୈତ୍ର ଶୁକ୍ଳ ପ୍ରତିପଦାକୁ ନବବର୍ଷ ରୂପେ ପାଳନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ସମିତିର ସଭାପତି ଡକ୍ଟର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ସହପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ, ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡ଼ା, ‘ରାଷ୍ଟ୍ରଦୀପ’ର ସମ୍ପାଦକ ଚିତରଞ୍ଜନ ମହାପାତ୍ର ଆଡ଼ଭୋକେଟ ରାଧେଶ୍ୟାମ ଚିମନକା, ଅଧ୍ୟାପିକା କୃଷ୍ଣପ୍ରିୟା ବେହେରା, ସତ୍ୟନାରାୟଣ ମିଶ୍ର କମଲ ଦତ ପ୍ରମୁଖ ଯୋଗଦେଇ ହିନ୍ଦୁ ନବବର୍ଷର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ ।


