ବିଜେପିରେ ମିଶିଲେ ପୂର୍ବତନ ବିଜେଡ଼ି ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ

କଟକ, (ଓ୍ବାଇଏନଏସ): ବିଜେଡିର ବରିଷ୍ଠ ନେତା ତଥା ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ରାଲିରେ ଯାଇ ପ୍ରଭାତ ବିଶ୍ବାଳ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ତାଙ୍କ ସାଥୀ ଓ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ସମର୍ଥକ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ସେ କଟକରୁ ବାହାରିଥିଲେ । ସମସ୍ତ ସମର୍ଥକଙ୍କ ସହିତ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଏକାଠି ହୋଇଥିଲେ । ସେଠାରୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି।  ଏହା ପୂର୍ବରୁ ଆଜି ସକାଳୁ କଟକ ମହାନଦୀ ବିହାରସ୍ଥିତ ବାସଭବନରେ ସମର୍ଥକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବିଜେପି ବ୍ୟାନରରେ ପ୍ରଭାତ ବିଶ୍ଵାଳଙ୍କ ଫଟୋ ଦେଖିବାକୁ ମିଳିଥିଲା। ସମର୍ଥକମାନେ ହାତରେ ବ୍ୟାନର ଧରି ବେଶ୍ ଖୁସି ଦେଖାଯାଉଥିଲେ। ଦୀର୍ଘଦିନ ହେବ ପ୍ରଭାତ ବିଶ୍ଵାଳ ବିଜେଡିରେ ରହିଥିଲେ। କିନ୍ତୁ ଆଜି ନୂଆ ବ୍ୟାନର ଅର୍ଥାତ୍ ବିଜେପି ବ୍ୟାନରରେ ପ୍ରଭାତ ବିଶ୍ଵାଳଙ୍କୁ ଦେଖିବାକୁ ମିଳିଥିଲା। ପ୍ରଭାତ ବିଜେପିରେ ଯୋଗ ଦେବା ପରେ ଚୌଦ୍ବାର-କଟକରେ ବିଜେଡି ଗଡ଼ ଭୁଶୁଡ଼ି ପଡ଼ିବ ବୋଲି ଚର୍ଚ୍ଚା ହେଉଛି।  ପ୍ରଭାତ ବିଶ୍ବାଳ ୩ ଥର ବିଧାୟକ ହୋଇଛନ୍ତି। ୨୦୦୪ ମସିହାରେ କଟକସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୯ ଓ ୨୦୧୪ ମସିହାରେ ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଚିଟଫଣ୍ଡ ମାମଲାରେ ପ୍ରଭାତ ଛନ୍ଦି ହୋଇପଡିଥିଲେ। ଏହି କାରଣରୁ ୨୦୧୯ ନିର୍ବାଚନରେ ପ୍ରଭାତଙ୍କୁ ବିଜେଡିରୁ ଟିକେଟ୍ ମିଳି ନଥିଲା। ପ୍ରଭାତଙ୍କ ପରିବର୍ତେ୍ କଟକ- ଚୌଦ୍ବାର ଆସନରୁ ତାଙ୍କ ପୁଅ ସୌଭିକଙ୍କୁ ବିଜେଡି ଟିକେଟ ଦେଇଥିଲା। ସୌଭିକ ବିଜୟୀ ହୋଇଥିଲେ।  କିଛିମାସ ତଳେ ଦଳ ବିରୋଧୀ କାମ ପାଇଁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଥିଲା। ଏହାପରେ ରାଜ୍ୟସଭା ନିର୍ବାଚନ ବେଳେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ବିଧାୟକ ପୁଅ ସୌଭିକ ବିଶ୍ୱାଳ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଖୋଲା ଖୋଲି ଏକ ମୋର୍ଚ୍ଚା ଆରମ୍ଭ କରିଥିଲେ। ଏହାସହ ବିଧାୟକ ସୌଭିକ ବିଶ୍ୱାଳ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ। ଏସବୁ ଭିତରେ ପ୍ରଭାତ ବିଶ୍ୱାଳ ଆଜି ବିଜେପିରେ ଯୋଗ ଦେଇଛନ୍ତି ।
ସେପଟେ ପ୍ରଭାତ ବିଜେପିରେ ଯୋଗ ଦେବା ପରେ କଟକରେ ବିଜେଡି ରାଜନୀତି ଏବେ ନେତାଶୂନ୍ୟ ହେବା ଭଳି ଲାଗୁଛି। ଭର୍ତ୍ତୃହରୀ ମହତାବ, ଦେବାଶିଷ ସାମନ୍ତରାୟ ବିଜେଡି ଛାଡି ବିଜେପିରେ ମିଶି ସାରିଛନ୍ତି। ଏହାକୁ ନଜରରେ ରଖି ବିଜେଡି ଶୂନ୍ୟସ୍ଥାନ ପୂରଣ କରିବାକୁ ଯାଇ ଏମାନଙ୍କ ସ୍ଥାନରେ ନୂଆ ନେତୃତ୍ୱଙ୍କୁ ଚୟନ କରୁଥିବା ଦେଖିବାକୁ ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ