ପ୍ରଭାତଙ୍କ ବିଜେପିରେ ଯୋଗଦେବା ନେଇ କଟକ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା

କଟକ, (ଓ୍ବାଇଏନଏସ): ଚୌଦ୍ୱାର – କଟକର ପୂର୍ବତନ ବିଜେଡ଼ି ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗ ଦେବାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ କଟକ ମେୟର ତଥା ବିଜେଡିର ବରିଷ୍ଠ ନେତା ସୁବାସ ସିଂ କହିଛନ୍ତି କି, ପ୍ରଭାତ ବିଶ୍ୱାଳଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡି ବହିସ୍କାର କରିଥିଲା । ଦୁର୍ଭାଗ୍ୟର କଥା ହେଉଛି ଯେଉଁ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପରିବାରକୁ କିଛି ବର୍ଷ ହେବ ବିଜେପି ଚିଟଫଣ୍ଡ ଚୋର କହିବା ସହ ସିିବିଆଇ ତଦନ୍ତ ପାଇଁ ଦାବି କରୁଥିଲା ଏବେ ସେହି ବିଜେପିରେ ସେ ଯୋଗ ଦେଉଛନ୍ତି । ବିଜେପି ଏବେ ସାରା ଭାରତବର୍ଷର ଦୁର୍ନୀତିଖୋର ନେତାଙ୍କ ପାଇଁ ବିଜେପି ୱାସିଂ ମେସିନ ପାଲଟିଛି । ସବୁ ଦୁର୍ନୀତି ଧୋଇବାକୁ ବିଜେପିରେ ମିଶିବା ପାଇଁ ପ୍ରତିଯୋଗିତା ଚଳାଇଛନ୍ତି । ସେ ଆହୁରି କହିଛନ୍ତି କି, ପ୍ରଭାତଙ୍କର କୌଣସି ନିଜସ୍ୱ ଅସ୍ଥିତ୍ୱ ନାହିଁ, ସେ ନବୀନଙ୍କ ବଳରେ ବଳୀୟାନ ଥିଲେ । ବିଜେଡିରେ ରହି କ୍ଷମତାର ଉପଭୋଗ କଲେ । ହେଲେ ଏବେ ଦଳ ତାଙ୍କୁ ବହିସ୍କାର କରିବା ପରେ କ୍ଷମତା ଲୋଭରେ ସେ ବିଜେପିରେ ଯୋଗ ଦେଉଛନ୍ତି । ପ୍ରଭାତ ବିଶ୍ୱାଳ ବିଜେଡିର ଏକ କଳଙ୍କ ଥିଲେ । ସେ କିଛିବର୍ଷ ହେବ ଦଳ ପାଇଁ ବୋଝ ପାଲଟିଯାଇଥିଲେ । ସେ ବିଜେଡିରେ ରହି କ୍ଷମତା ଉପଭୋଗ କଲେ, ତାଙ୍କ ପରେ ତାଙ୍କ ପୁଅକୁ ମଧ୍ୟ ବିଜେଡି ବିଧାୟକ କଲା, ସେ କୃତଘ୍ନ ହୋଇ ସବୁ କିଛି ଭୁଲିଗଲେ । ହେଲେ ଆମେ ଆମ ସଂଗଠନ ମଜବୁତ କରିବାକୁ ଚେଷ୍ଟା କରୁଛୁ, ସେପଟେ ଯେଉଁ ଲୋକମାନେ ପ୍ରଭାତଙ୍କ ସହ ଯୋଗାଯୋଗରେ ରହିଛନ୍ତି, ସେମାନେ କିଭଳି ବିଜେଡିରେ ରହିବେ ସେନେଇ ସେମାନଙ୍କ ସହ ଯୋଗାଯୋଗ ଚଳାଇଛୁ । ଦେବାଶିଷ ସାମନ୍ତରାୟ କହିଥିଲେ, ତାଙ୍କ ସହ ୨୨ କର୍ପୋରେଟର ଓ ପ୍ରଭାତ ବିଶ୍ୱାଳ କହିଥିଲେ ତାଙ୍କ ସହ ୧୨ କର୍ପୋରେଟର ଦଳ ଛାଡିବେ । ହେଲେ କେହି ସେମାନଙ୍କ ସହ ଯାଉନାହାନ୍ତି, ଏମାନେ ରିଜେକ୍ଟ ନେତା, ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି । ଯେଉଁମାନେ ବିଜେଡିକୁ ଧୋକ୍କା ଦେଇଯାଇଛନ୍ତି, ସେମାନେ ଖତ ହୋଇଯାଇଛନ୍ତି ବୋଲି କଟକ ମେୟର ସୁବାସ ସିଂ ଗଣମାଧ୍ୟମକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ