କରୋନାରୁ ଲୋକଙ୍କୁ ସୁରକ୍ଷା ପାଇଁ ପାରଳା ପୋଲିସର ବ୍ୟାପକ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ ସଂକ୍ରଣର ଦ୍ୱିତୀୟ ଲହରରେ କୋଭିଡ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାର ଦେଖିବାକୁ ମିଳୁଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡାକବାଜିଯନ୍ତ୍ର ଯୋଗେ ସହରର ଜନସାଧାରଣଙ୍କୁ ସତର୍କ ରହିବା, ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବା ଆଦି ସମ୍ପର୍କରେ ସଚେତନତା କରିବା ସହ ଦୋକାନୀ ମାନଙ୍କୁ ଗହଳି ନକରିବା ପାଇଁ ମଧ୍ୟ କୁହାଯାଇଛି । ବିଶେଷ କରି ପାରଳାଖେମୁଣ୍ଡି ସହରର ମୁଖ୍ୟ ବଜାର ଛକରେ ଭିଡ ହେଉଥିବାକୁ ଦୃଷ୍ଟିରେ ରଖି ସେଠାକାର ଦୋକାନୀ, ଉଠାଦୋକାନୀ ମାନଙ୍କୁ ରାଜ୍ୟ ସରକାଙ୍କ କୋଭିଡ୍-୧୯ ନିୟମାବଳୀକୁ ବୁଝାଇଥିଲେ । ରାସ୍ତାକଡରେ ଉଠା ପରିବା ଦୋକାନୀ ମାନଙ୍କୁ ପୂର୍ବଭଳି ହାଟପଦା ଠାରେ ଥିବା ପରିବା ହାଟକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏମାନେ ମୁଖ୍ୟ ରାସ୍ତାରେ ପରିବା ବିକ୍ରି କରିବେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଏସ୍.ଆଇ. ଅହଲ୍ୟା ମହାରଣା, ବିନାୟକ ମନ୍ତ୍ରୀ, ଏଏସ୍ଆଇ ଭୋଳାନାଥ ପଣ୍ଡା ପ୍ରମୁଖଙ୍କ ସହ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।


