ଆଲମିରା ଭାଙ୍ଗି ୧୦ ଭରି ସୁନା ଅଳଙ୍କାର ସମେତ ୨୦ ହଜାର ଟଙ୍କା ଲୁଟ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ଗତ କିଛି ଦିନର ନୀରବତା ପରେ ହିଞ୍ଜିଳି ଥାନା ଅଞ୍ଚଳରେ ପୁଣିଥରେ ଲୁଟେରାଙ୍କ ପାର୍ଦୁଭାଵ ଦେଖାଦେଇଛି । ଶୁକ୍ରବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ମକରଝୋଳ ରାମସାଗର ସାହିରେ ଲୁଟେରା ମାନେ ଘରର ବାରିପଟ କବାଟ ଭାଙ୍ଗି ଘରେ ପଶି ଆଲମାରୀ ଭାଙ୍ଗି ଆଲମାରୀ ଭିତରେ ଥିବା ୧୦ ଭରି ଓଜନର ସୁନା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଲୁଟ କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି ।
ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମକରଝୋଳ ଗ୍ରାମ ରାମସାଗର ସାହିର ପି ଦୁଷ୍ମନ୍ତଙ୍କ ପରିବାର ସଦସ୍ୟ ଶୁକ୍ରବାର ରାତି ପ୍ରାୟ ୧୧ଘଣ୍ଟା ସମୟରେ ରାତ୍ର ଭୋଜନ ସାରି ଘର ମଧ୍ୟରେ ଶୋଇଥିଲେ । ବିଳମ୍ବିତ ରାତିରେ ଲୁଟେରା ମାନେ ଘରର ବାରିପଟ କବାଟ ଭାଙ୍ଗି ଘରେ ପଶି ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଲୁଟ କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଶନିବାର ଭୋରରୁ ପରିବାର ସଦସ୍ୟ ନିଦରୁ ଉଠି ଆଲମାରୀ ଭାଙ୍ଗା ଯାଇଥିବା ବେଳେ ଘରର ବାରିପଟ କବାଟ ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିଲେ । ଆଲମିରା ମଧ୍ୟରେ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ନଥିବାରୁ ଚୋରି ହୋଇଥିବା ନେଇ ଦୁଷ୍ମନ୍ତ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେଶ୍ ନଂ ୧୭୫/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଚଳାଇଛି । ଏ ନେଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ଲୁଟେରାଙ୍କୁ ଯଥାଶୀଘ୍ର ଗିରଫ କରାଯିବ ।


