ହାତରେ ଲେଖିଥିଲେ ବାୟୋଡାଟା, ଛୁଟିଲା ଚାକିରିର ଲମ୍ୱା ସୁଅ
ସୋସିଆଲ୍ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି । ଆଉ ଏହି ସବୁ ଘଟଣାଗୁଡ଼ିକ ଭାଇରାଲ୍ ହେବା ପରେ ଖୁବ୍ ଚର୍ଚ୍ଚା ମଧ୍ୟ ସାଉଁଟୁଛି । କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏମିତି ଏକ ହାତଲେଖା ବାୟୋଡ଼ାଟା ବା ରିଜ୍ୟୁମ୍ ଭାଇରାଲ୍ ହୋଇଛି । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ତେବେ ଆପଣ ଭାବୁଥିବେ ପ୍ରିଣ୍ଟ୍ଆଉଟ୍ ଯୁଗରେ ଏହି ହାତଲେଖା ବାୟୋଡାଟାଟି କାହିଁକି ଭାଇରାଲ୍ ହେଉଛି? ପ୍ରକୃତ କଥା ହେଲା ଏଥିପାଇଁ ବ୍ୟକ୍ତିଙ୍କ ପାଖରେ ଚାକିରିର ଲମ୍ୱା ଲାଇନ୍ ଲାଗିଛି । ତେବେ ଆସନ୍ତୁ ଜାଣିବା ଏହି ହାତଲେଖା ବାୟୋଡାଟା ପଛର ରୋମାଞ୍ଚକର କାହାଣୀ । କାର୍ଲାସ୍ ଟୁଆଟ୍ର୍ ନାମକ ଜଣେ ୨୧ ବର୍ଷୀୟ ଯୁବକ ଚାକିରି ଖୋଜି ଖୋଜି ଥକିପଡ଼ିଥିଲେ । ଏତିକିବେଳେ କାଫେରେ କାମ କରୁଥିବା ୟୁଜାନିଆ ଲାପେଜ୍ଙ୍କ ସହିତ ତାଙ୍କର ଦେଖା ହେଲା । କାର୍ଲାସ୍ ତାଙ୍କୁ ଚାକିରି କଥା କହିଥିଲେ । କିନ୍ତୁ ଲାପେଜ୍ କାର୍ଲାସ୍ଙ୍କୁ ଚାକିରି ଦେବାରେ ଅସମର୍ଥ ଥିଲେ । ତଥାପି ସେ କାର୍ଲାସ୍ଙ୍କୁ ତାଙ୍କର ବାୟୋଡାଟା ମାଗିଥିଲେ । ଆଉ ଚାକିରିର ବ୍ୟବସ୍ଥା ହୋଇଗଲେ ସେ ଜଣାଇବେ ବୋଲି କହିଥିଲେ । ଏହା ପରେ ଲାପେଜ୍ ସେହି ହାତଲେଖା ବାୟୋଡାଟାକୁ ଫେସ୍ବୁକ୍ରେ ଶେୟାର୍ କରିଥିଲେ । ସେ ତାଙ୍କ ପୋଷ୍ଟ୍ରେ ଲେଖିଥିଲେ, ଏହି ବ୍ୟକ୍ତିଙ୍କ ପାଖରେ ରିଜ୍ୟୁମେର ପ୍ରିଣ୍ଟ୍ ଆଉଟ୍ କାଢ଼ିବା ପାଇଁ ପଇସା ନଥିଲା । ତେଣୁ ସେ ହାତରେ ଖୁବ୍ ସୁନ୍ଦର ଭାବେ ନିଜ ରିଜ୍ୟୁମଢ଼ ତିଆରି କରିଛନ୍ତି । ଲାପେଜ୍ଙ୍କର ଏହି ପୋଷ୍ଟଟି ପ୍ରାୟ ୧୦ ହଜାର ଥର ଶେୟାର୍ ହୋଇଥିଲା । ଏତେ ମାତ୍ରାରେ ରିଜ୍ୟୁମ୍ ଶେୟାର୍ ହେବା ପରେ ବିଭିନ୍ନ ଆଡ଼ୁ କାର୍ଲାସ୍ଙ୍କ ପାଖକୁ ଚାକିରିର ଲମ୍ୱା ଲାଇନ୍ ଛୁଟିଲା । ଆଉ ସେ ଚାକିରି ମଧ୍ୟ କଲେ । ତେବେ ତାଙ୍କ ହାତ ଲେଖା ରିଜ୍ୟୁମ୍ ଯେ ତାଙ୍କୁ ଏତେ ସଫଳତା ଆଣିଦେବ, ତାହା ସେ ବିଶ୍ୱାସ କରିପାରି ନ ଥିଲେ ।


