ଗର୍ଲଫ୍ରେଣ୍ଡ ଚକ୍କରରେ ସବ୍ୟସାଚୀ

ସବ୍ୟସାଚୀ ଏବେ ଗର୍ଲଫ୍ରେଣ୍ଡ ଚକ୍କରରେ ଅଛନ୍ତି । ଖୋଲା ମିଜାଜ, ବିନ୍ଦାସ ଲାଇଫ । ହେଲେ କ’ଣ ହେବ, ମନଲାଖି ସୁନ୍ଦରୀଟିଏ ମିଳିଲେ ସେ ତାକୁ ହୃଦୟର ଏପରି ଜାଗାରେ ସାଇତି ରଖନ୍ତେ ଯେମିତି ଯେ କେହି ତାକୁ ତାଙ୍କଠାରୁ ଅଲଗା କରିପାରିବ ନାହିଁ । ସବ୍ୟସାଚୀଙ୍କ ଏହି ଗର୍ଲଫ୍ରେଣ୍ଡ ମିଶନ ବିଷୟରେ ଶୁଣି ଅନେକେ ନିଶ୍ଚୟ ଚମକି ଉଠିବେଣି । ହେଲେ ଏଭଳି ରୋଚକ କଥାକୁ ନେଇ କେହି ତର୍ଜମା କରିବା ପୂର୍ବରୁ ତା’ ଉପରେ ଥିବା ପରଦା ହଟାଇଦେବା ଭଲ ହେବ । ଏହି କଥାଟି ସତ, ହେଲେ ତାହାର ଶତ ପ୍ରତିଶତ ସଂଯୋଗ ରହିଛି ଓଲିଉଡର ପାଗଳପ୍ରେମୀ ଭାବରେ ପରିଚିତ ସବ୍ୟସାଚୀ ଓରଫ ସବ୍ୟଙ୍କର ରିଲ୍ ଲାଇଫ ସହ । ଅସଲ କଥା ହେଲା, ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା “ମାଲ୍ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତାଙ୍କୁ ଏପରି ଏକ ରୋମାଣ୍ଟିକ, କମେଡି ଏବଂ ଇମୋଶନାଲ ଭୂମିକା(ମାଇକେଲ୍‌) ମିଳିଛି । ଏ ସମ୍ପର୍କରେ ସବ୍ୟ କହନ୍ତି, “ମାଇକେଲ ଖନା, ତେଣୁ ତାକୁ ସମସ୍ତେ ଥଟ୍ଟା କରନ୍ତି । ତାହାର ଦୁଇ ବର୍ଷରେ ଦାନ୍ତ ଉଠିଲା, ୧୫ବର୍ଷରେ ନିଶ ଦାଢ଼ି ଉଠିଲା, ହେଲେ ୨୫ବର୍ଷ ହୋଇଗଲାଣି ଗର୍ଲଫ୍ରେଣ୍ଡଟିଏ ମିଳୁନାହିଁ । କିନ୍ତୁ ସେ ଏପରି ଏକ ଚମକ୍ରାର କରୁଛି ଯାହା ଚକକୁ ପୂରା ଓଲଟାଇ ଦେଉଛି । ଗୋଟିଏ ପ୍ରେମିକା ଖୋଜୁ ଖୋଜୁ ଏକାଥରେ ୪-୫ଟି ପ୍ରେମିକା ମିଳିଯାଇଛନ୍ତି । ହେଲେ ସେହି ଚମକ୍ରାର କ’ଣ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ । ଯଦି ମାଇକେଲ ରାଗିଯାଏ, ତେବେ ତା’ ପାଟିରୁ ଗାଳି ଆଉ ହାତରୁ ମାଡ଼ ବନ୍ଧୁକରୁ ଗୁଳି ବାହାରିଲା ପରି ଚାଲେ । ମୋଟ ଉପରେ କହିବାକୁ ଗଲେ ଏହି ଦ୍ୱିଭାଷୀ (ଓଡ଼ିଆ, ଛତିଶଗଡି) ଫିଲ୍ମରେ କମେଡି ରହିଛି, ହେଲେ ଏହା ଅନେକଙ୍କ ପାଇଁ ଏକ ପ୍ରେରଣାଦାୟକ ସିନେମା ହେବ ।’ ଆମରା ଷ୍ଟୁଡିଓ ଏବଂ ଭେକ୍ଟର ଇନ୍‌ଫିନିଟି ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ସବ୍ୟସାଚୀଙ୍କ ବ୍ୟତୀତ ଏଥିରେ ଏଲିନା ସାମନ୍ତରାୟ, ବିଦୁସ୍ମିତା, ସ୍ୱପ୍ନା ପତି, ବିଜୁ ବଡଜେନା, କେକେ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ । ନଭେମ୍ବର ୮ରେ ପରଦା ଉପରକୁ ଆସୁଥିବା ଏହି ସିନେମାରେ ମାଇକେଲ ଭୂମିକାରେ ସବ୍ୟସାଚୀ କେତେ ବାଜିମାତ କରୁଛନ୍ତି ତାହାକୁ ହିଁ ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ