ପକ୍ଷୀରାଣୀ ମାମାଲିଙ୍କ ଆଉ ଏକ ନିଆରା ପ୍ରୟାସ ; ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ବୃକ୍ଷରୋପଣ
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରପଦା ଗ୍ରାମର ପକ୍ଷୀରାଣୀ ଭାବେ ପରିଚିତ କୁନି ସମାଜସେବୀ ମାମାଲି ପଣ୍ଡାଙ୍କ ଏବେ ଆଉ ଏକ ଅଭିନବ ପ୍ରୟାସ ସମସ୍ତଙ୍କୁ ଦୃଷ୍ଟି ଆକର୍ଷିତ କରିଛି । ମାମାଲି ଗ୍ରୀଷ୍ମଋତୁ ସମୟରେ ଘର ପାଶ୍ୱର୍ କେନାଲ ବନ୍ଧ ବୃକ୍ଷ ଡାଳରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ପାତ୍ର ଯୋଗାଡ କରି ଚର୍ଚ୍ଚାକୁ ଆସିଥିଲେ । ଏହାଛଡା ବୁଲା ଗାଈଗୋରୁଙ୍କ ପାଇଁ ପାନୀୟଜଳ ଓ କରୋନା ସମୟରେ ଆଦିବାସୀ ପିଲାଙ୍କୁ ମାସ୍କ ବଣ୍ଟନ କରି ଆଠବର୍ଷରୁ ସେ କୁନି ସମାଜସେବୀ ଭାବେ ପରିଚିତ ହୋଇପାରିଥିଲେ । ଏବେ ଆଉ ଏକ ଅଭିନବ କାର୍ଯ୍ୟ ତାଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଖରାଦିନେ ମାଙ୍କଡ ଓ ବିଭିନ୍ନ ପ୍ରଜାତିର ଶହଶହ ପକ୍ଷୀ ଯେଉଁଭଳି ଭାବେ ଖାଦ୍ୟାଭାବର ଶିକାର ହେଉଛନ୍ତି ତାହାକୁ ଆଖି ଆଗରେ ରଖି ମାମାଲି ଏବେ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇଛନ୍ତି । ସ୍ଥାନୀୟ କେନାଲ ବନ୍ଧରେ ଆମ୍ବ, ପଣସ, କମଳା, ଲିଚୁ, ଅମୃତଭଣ୍ଡା, କଦଳୀ ଗଛ ଲଗାଉଛନ୍ତି । ପ୍ରତ୍ୟକ ଗଛ ରୋପଣ ବେଳେ ମାମାଲି ବିଭିନ୍ନ ସ୍ୱାଧିନତା ସଂଗ୍ରାମୀଙ୍କ ନାମଫଳକ ସେଠାରେ ଲଗାଉଥିବା ଦେଖିବାକୁ ମିଳିଛି । ସୁତରାଂ ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୃତିରେ ସେ ବୃକ୍ଷରୋପଣ କରି ବେଶ ଆନନ୍ଦ ପାଉଥିବା ସେ କହିଛନ୍ତି । ସମାଜ ପାଇଁ ଉଦ୍ଦିଷ୍ଟ ତାଙ୍କର ଏଭଳି ନୂଆ ନୂଆ ପ୍ରଚେଷ୍ଟାକୁ ବୃଦ୍ଧିଜିବୀମାନେ ସାଧୁବାଦ ଜଣାଇଛନ୍ତି ।


