ନିହାରିକା ରାଉତ ହେଲେ ବନ୍ତ ବ୍ଲକ ବିଜେଡି ମହିଳା ସଭାପତି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତର ସରପଞ୍ଚ ନିହାରିକା ରାଉତ ବନ୍ତ ବ୍ଲକ ବିଜେଡି ମହିଳା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଶ୍ରୀମତୀ ରାଉତଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି । ଗତ ୨୦୧୨ ମସିହାରେ ଶ୍ରୀମତୀ ରାଉତ ଟିଲୋ ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପରେ ଗତ ୨୦୧୭ ମସିହାରେ ସେ ଟିଲୋ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଆସୁଛନ୍ତି । ସେ ଗତ ୨୦୨୦-୨୧ କରୋନା ସମୟରେ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟ କରି ଜିଲା ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ ମହିଳା ସରପଞ୍ଚ ଭାବେ ପୁରସ୍କୃତ ହୋଇଥିଲେ । ୨୦୧୮-୧୯ ମସିହାରେ ପୀଠା କାର୍ଯ୍ୟକ୍ରମରେ ଜିଲା ପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏଥିସହ ବ୍ଲକର ବିଭିନ୍ନ ମହିଳା ସାଙ୍ଗଠନିକ ଓ ଦଳୀୟ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇ ସଫଳତା ସହିତ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ସମିତି ବୈଠକରେ ଜଣେ ସଫଳ ଜନପ୍ରତିନିଧି ଭାବେ ନିଜ ପଞ୍ଚାୟତର ସମସ୍ୟାକୁ ଉପସ୍ଥାପନ କରିବା ସହିତ ଲୋକ ମାନଙ୍କ ପାଇଁ ଦୃଢତାର ସହିତ କାର୍ଯ୍ୟ କରିଆସିଛନ୍ତି । ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ବ୍ଲକ ବିଜେଡି ମହିଳା ସଭାପତି ଭାବେ ନିଯୁକ୍ତ କରାଯାଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ରାଜ୍ୟ ବିଜେଡି ସାଧାରଣ ସଂପାଦକ ଇଂ.ପ୍ରୟାସକାନ୍ତି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ବନ୍ତ ବ୍ଲକର ମହିଳା ସଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ