ମାଟୋଆ ନିର୍ବାଚନରେ ପୂର୍ବତନ ସଭାପତିଙ୍କ ଯୋଗଦାନ
ଯୋଡ଼ା, (ଯୁଗାଦ୍ଦ ନ୍ୟୁଜ): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ବାଂଶଫାଣିସ୍ଥିତ ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ (ମାଟୋଆ) କର୍ମକର୍ତା ନିର୍ବାଚନରେ ପୂର୍ବତନ ସଭାପତିଙ୍କର ଯୋଗଦାନ ପରେ ଏହି ନିର୍ବାଚନ ନୂଆ ମୋଡ ନେଇଛି । ଏହି ନିର୍ବାଚନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ଜଣାପଡିଛି । ଯୁବନେତା ସଂଜୟ ବାରିକଙ୍କ ସମର୍ଥନରେ ସଂଘର ବିଭିନ୍ନ ଆସନ ଗୁଡିକୁ ହାତେଇବା ପାଇଁ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ସଭାପତି ଆସନରେ ନାମାଙ୍କନ ପତ୍ର ଦାଖଲ କରିଥିବା ଭରତ ଚନ୍ଦ୍ର ବାରିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିବାରୁ ସେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ସହିତ ଏହି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପୂର୍ବତନ ମାଟୋଆ ସଭାପତି ରଂଜିତ କୁମାର ବାରିକଙ୍କୁ ସେ ସମର୍ଥନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଟ୍ରକମାଲିକ ସଂଘରେ ଥିବା ବହୁ ସଦସ୍ୟଙ୍କ ଅନୁରୋଧ କ୍ରମେ ପୂର୍ବତନ ମାଟୋଆ ସଭାପତି ରଂଜିତ କୁମାର ବାରିକ ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିବେ ଏବଂ ଗାଡିମାଲିକ ମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ ଆଗାମୀ ଦିନରେ କାର୍ଯ୍ୟ କରିବା ସହିତ ଖଣିରେ ହାଇଓା ଟ୍ରକ ଚଳାଚଳକୁ ସେ ବନ୍ଦ କରିବେ ବୋଲି ରଂଜିତ କୁମାର ବାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେବେ ମାଟୋଆ ପୂର୍ବତନ ସଭାପତି ରଂଜିତ ବାରିକଙ୍କ ଯୋଗଦାନ ପରେ ମାଟୋଆ ନିର୍ବାଚନ ଏକ ନୂଆ ମୋଡ ନେଇଛି । ଗାଡିମାଲିକଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ଉଦିପନ୍ନା ଜାଗ୍ରତ ହୋଇଥିବା ଦେଖିବାକୁ ମିଳିଛି ।


