ଗୃହ ପଟ୍ଟା ପ୍ରଦାନ ନେଇ ଦାବୀ ପତ୍ର ପ୍ରଦାନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ୧୭ ନଂ ୱାର୍ଡ଼ର ସାହି ବାସିନ୍ଦା ଗୃହ ପଟ୍ଟା ପ୍ରଦାନ ଦାବୀରେ ଏକ ସ୍ମାରକ ପତ୍ର ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ମନୋରଂଜନ ସାହୁଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ହିଂଜିଳିକାଟୁ ପୌରାଂଚଳ ୧୭ ନଂ ୱାର୍ଡ଼ର ବହୁ ସ୍ଥାୟୀ ବାସିନ୍ଦା ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ଦିନ ଧରି ଉକ୍ତ ଅଂଚଳରେ ଘର କରି ରହି ଆସିଛନ୍ତି । କିନ୍ତୁ କୌଣସି ବ୍ୟକ୍ତିଙ୍କ ରହୁଥିବା ଘରର ପଟ୍ଟା ନାହିଁ । ରାଜ୍ୟ ସରକାରଙ୍କ ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ସକାଶେ ଯୋଜନା ରହିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ରହୁଥିବା ଘରର ପଟ୍ଟା ପ୍ରଦାନ କରାଯାଇନାହିଁ । ପୌର ପ୍ରଶାସନ ପକ୍ଷରୁ ସଂପୃକ୍ତ ସାହି ବସ୍ତିର ବହୁ ଘରର ମ୍ୟାପ ପ୍ରସ୍ତୁତ କରି ଫଟୋ ଉଠାଇବା ପରେ ପଟ୍ଟା ପ୍ରଦାନ କରାଯିବା ପାଇଁ ସଭା ବସିଥିଲା । ପରବର୍ତି ସମୟରେ ତହସିଲଦାର ସଂପୃକ୍ତ ଅଂଚଳ ପରିଦର୍ଶନ କରିଥିବା ନେଇ ସାହି ବାସିନ୍ଦା ଜଣାଇଛନ୍ତି । ଦୀର୍ଘ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ସଂପୃକ୍ତ ସାହି ବାସିନ୍ଦାଙ୍କୁ ପଟ୍ଟା ନମିଳିବାରୁ ଶନିବାର ସଂପୃକ୍ତ ସାହି ବାସିନ୍ଦା ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ପୂର୍ତ ବିଭାଗ ଡ଼ାକ ବଙ୍ଗଳା ଠାରୁ ଏକ ରାଲିରେ ବାହାରିଥିଲେ । ଏ ନେଇ ଏକ ଦାବୀ ପତ୍ର ଅତିରିକ୍ତ ତହସିଲଦାର ପାତ୍ର ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ସାହୁଙ୍କୁ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ କିରଣ ପଟ୍ଟନାୟକ, ମଙ୍ଗୁଳୁ ମହାଙ୍କୁଡ଼, ପ୍ରତାପ ପଟ୍ଟନାୟକ, କୌଳାସ ଚନ୍ଦ୍ର ସାହୁ, ରତ୍ନାକର ମହାରଣା, ବୃନ୍ଦାବନ ସାହୁ, ଦିବାକର ନାୟକ, ବିଶ୍ୱନାଥ ପାଣିଗ୍ରାହୀ, ବିଦ୍ୟାଧର ପ୍ରଧାନ, ତ୍ରିଲୋଚନ ସ୍ୱାଇଁ, ଗୋପାଳ ବାଡ଼ତ୍ୟା, ସୂର୍ଯ୍ୟ ନାରାୟଣ ପୃଷ୍ଟି, ସିମାଂଚଳ ପାଢି. ନିରଂଜନ ସାହୁ କରୁଣାକର ମୁନି, ସବିତା ପାଢି, ଶାନ୍ତିଲତା ସାହୁ, ରମାଦେବୀ ମହାରଣା, ମମତା ପାଢିଙ୍କ ସମେତ ବହୁ ସାହି ବାସିନ୍ଦା ରାଲିରେ ଅଂଶ ଗ୍ରହଣ କରିଥିଲେ ।


