ପୁରୀ-ପାରଳାଖେମୁଣ୍ଡି-ଗୁଣୁପୁର ଟ୍ରେନରେ ଅନ୍ଲାଇନ ପରିବର୍ତ୍ତେ ରେଳଷ୍ଟେସନରେ ଟିକଟ ବିକ୍ରୟ ବ୍ୟବସ୍ଥା ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଦେଇ ଚଳାଚଳ କରୁଥିବା ଟ୍ରେନରେ ବର୍ତ୍ତମାନ କେବଳ ଅନ୍ଲାଇନ ଟିକଟ ବ୍ୟବସ୍ଥା ରହିଛି । ଯାହାକି ସବୁସ୍ତରର ଲୋକଙ୍କ ପାଇଁ ସମସ୍ୟା ଦେଖାଦେଉଛି । ତେଣୁ ଅନ୍ଲାଇନ ପରିବର୍ତ୍ତେ ରେଳଷ୍ଟେସନରେ ଟିକଟ ବିକ୍ରୟ ବ୍ୟବସ୍ଥା ପାଇଁ ଦାବି ହୋଇଛି । ସୂଚନା ଯୋଗ୍ୟ, କୋଭିଡ୍ ଯୋଗୁଁ ଗତ ଦୀର୍ଘ ମାସ ଧରି ଚଳାଚଳ ବନ୍ଦ ରହିଥିବା ପୁରୀ-ପାରଳାଖେମୁଣ୍ଡି-ଗୁଣୁପୁର ଟ୍ରେନ ଚଳିତ ଅଗଷ୍ଟ ମାସ ଗତ ୧୬ ତାରିଖ ଠାରୁ ଚଳାଚଳ ଆରମ୍ଭ କରିଛି । କରୋନା ମହାମାରୀ ଯୋଗୁଁ ମାସଧିକ ସମୟ ଧରି ପୂର୍ବତଟ ରେଳପଥ କାର୍ଯ୍ୟାଳୟ ପକ୍ଷରୁ ଅନେକ ଗୁଡିଏ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା । ସେହି ଟ୍ରେନ ଚଳାଚଳ ବାତିଲ ଗୁଡିକ ମଧ୍ୟରେ ନୈପଡା-ଗୁଣୁପୁର ଭାୟା ପାରଳାଖେମୁଣ୍ଡି ମଧ୍ୟ ଦେଇ ଚଳାଚଳ କରୁଥିବା ପୁରୀ-ଗୁଣୁପୁର ସହ ଗୁଣୁପୁର-ବିଶାଖାପାଟଣା ଟ୍ରେନ ଓ ଗୁଣୁପୁର ରାଉରକେଲା ଟ୍ରେନ ଚଳାଚଳକୁ ମଧ୍ୟ ବାତିଲ କରାଯାଇଥିଲା । ଏଭଳି ବାତିଲ ଦ୍ୱାରା ଅଞ୍ଚଳବାସୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ । ଯହାକି ଏହି ଗମନାଗମନ ବିହୀନ ଓଡିଶା-ଆନ୍ଧ୍ର ସୀମା ଅଞ୍ଚଳରେ ରହିଥିବା ଅନେକ ଗ୍ରାମର ଅଧିବାସୀ ବହୁ ଅସୁବିଧା ମଧ୍ୟ ଦେଇ ଗତି କରୁଥିଲେ । ଏହାକୁ ନେଇ ସ୍ଥାନୀୟ ରାଜନୈତିକ ବ୍ୟକ୍ତି ବିଶେଷ ଓ ବିଭିନ୍ନ ସଂଗଠନ ପକ୍ଷରୁ ଟ୍ରେନ ଚଳାଚଳ ନେଇ ପ୍ରବଳ ଦାବି ହେବା ଫଳରେ ରେଳ ବିଭାଗ ପକ୍ଷରୁ ୦୮୪୧୭/୦୮୪୧୮ ନାମରେ ପୁରୀ-ଗୁଣୁପୁର ଟ୍ରେନ ଚଳିତ ଅଗଷ୍ଟ ମାସର ଗତ ୧୬ ତାରିଖ ଠାରୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ସେହି ବିଜ୍ଞପ୍ତି ପ୍ରକାରେ ପୁରୀ-ଗୁଣୁପୁର ଟ୍ରେନଟି ଚଳାଚଳ ଆରମ୍ଭ କରିଛି । ହେଲେ ଦୁଃଖର କଥା ଯେ, ଏହି ଟ୍ରେନ ଯୋଗେ ଯାତ୍ରା କରିବା ପାଇଁ ଅନଲାଇନ ଟିକଟ କରି ଯାତ୍ରା କରିବା ବାଧ୍ୟତା ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗଜପତି ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳ ସମେତ ପଡୋଶୀ ରାୟଗଡା ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାଞ୍ଚଳବାସୀ ଯେଉଁମାନେ କି ଏହି କେବଳ ଟ୍ରେନ ଉପରେ ବହୁଳଭାବେ ପ୍ରତିଦିନ ବିଭିନ୍ନ କ୍ଷେତ୍ରରେ ନିର୍ଭର କରିଥାନ୍ତି ଏବଂ ସେମାନେ ବିଶେଷ କରି ଆଦିବାସୀ ବହୁଳ ତଥା ଅନୁନ୍ନତ ଅଞ୍ଚଲର । ଅନ୍ୟପକ୍ଷରେ ଏହି ଟ୍ରେନଯାତ୍ରା ଉପରେ ନିର୍ଭର କରୁଥିବା ସମ୍ପୃକ୍ତ ବିଭିନ୍ନ ଅଞ୍ଚର ବହୁ ନିରକ୍ଷର, ଗରିବ, ନିରୀହ ଓ ଅ।।ଦିବାସୀ ଲୋକେ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଅନଲାଇନ ଟିକଟ ସମ୍ପର୍କରେ ଅଧିକାଂଶ ପ୍ରାୟତଃ ଜାଣନ୍ତିନାହିଁ । ଯାହା ଫଳରେ ଏହି ଅଞ୍ଚର ଉପରୋକ୍ତ ଲୋକେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଅନଲାଇନ୍ ଯୋଗେ ଟିକଟ କରି ନ ପାରିବା ଯୋଗୁଁ ସେମାନେ ଏହି ରେଳ ସେବାରୁ ବଞ୍ଚତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଏଥିପାଇଁ ରେଳ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଯାତ୍ରୀମାନଙ୍କ ଏଭଳି ସ୍ୱାର୍ଥ ଦୃଷ୍ଟିରୁ ସ୍ଥାନୀୟ ରେଳ ଷ୍ଟେସନ ମାନଙ୍କରେ ଟିକଟ ବିକ୍ରୟ ସୁବିଧା ବ୍ୟବସ୍ଥା କରିବା ପାଇଁ ସର୍ବସାଧାରେ ଦାବି ହୋଇଛି ।


