ବିମଳା ଠାକୁରାଣୀଙ୍କ ରୂପା ମୁକୁଟ ଚୋରି ଅଭିଯୋଗ, ୨ ଜଣଙ୍କୁ କୋର୍ଟ ଚାଲାଣ
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ଥାନା ଅନ୍ତର୍ଗତ ଚାନ୍ଦଖାଁପାଟଣାସ୍ଥିତ ଶିଶୁ ମଠରେ ଥିବା ବଳଦେବ ଜିଉ ମନ୍ଦିରରେ ଥିବା ଦୁଇ ପଟ ଘଂଟ, ବିମଳା ଠାକୁରାଣୀଙ୍କ ୭ ଭରିର ରୂପା ମୁକୁଟ, ରୁଦ୍ରାକ୍ଷ ମାଳି ଚୋରି ଯାଇଥିବା ମଙ୍ଗଳବାର ମନ୍ଦିରର ପୂଜକ ସିଦ୍ଧେଶ୍ୱର ପାଢୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଚୋରି ଦିବା ୧୦ ଘଟିକାରେ ହୋଇଥିବା ବେଳେ ଏହି ଚୋରି ଉକ୍ତ ଗ୍ରାମର ଦେବାଶିଷ ଶିଶୁ ଓ ଖୋର୍ଦ୍ଧା ଜିଲ୍ଲା ବନମାଳିପୁରର ସଂଜୟ ସାହୁ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୭୫/୨୦୨୧ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ନାଉଗାଁ ଥାନା ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆରକ୍ଷୀ ନିରୀକ୍ଷକ ଅଭୟ କୁମାର ବେହେରା ପ୍ରକାଶ କରିଛନ୍ତି ।


