କୋଟିଆରେ ଆନ୍ଧ୍ରର ଭୂମିପୂଜା : ବିଧାନସଭା ଗୃହ କମିଟି ତୁରନ୍ତ ଘଟଣାସ୍ଥଳ ଯିବାକୁ ସମାଜବାଦୀ ପାର୍ଟିର ଦାବି
ଭୁବନେଶ୍ୱର, (ୱାଇଏନ୍ଏସ୍): ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆଜି ପାର୍ବତୀପୁରମ୍ର ଆଇଟିଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ କୋଟିଆ ପଞ୍ଚାୟତର ଫାଟୋସିନେରୀଠାରେ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ କରିଛନ୍ତି । ଆସିଡ଼ିଏସ୍, କେନ୍ଦ୍ର କୃଷକ ଭବନ ଓ ପଞ୍ଚାୟତ କାର୍ଯ୍ୟାଳୟର ଭୂମିପୂଜା କରାଯାଇଛି । ଏହା ଫଳରେ ଆନ୍ଧ୍ର-ଓଡ଼ିଶା ବିବାଦ ଆଉ ଏକ ମୋଡ଼ ନେଇଛି । ଗତ ୧୬ ତାରିଖ ଦିନ ଆନ୍ଧ୍ରପ୍ରଦେଶ ପକ୍ଷରୁ ଏହିସବୁ ପ୍ରକଳ୍ପର ଶୁଭାରମ୍ଭ କରାଯିବାର ଥିଲା । କିନ୍ତୁ କୋରାପୁଟ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ବିଧାୟକ, ସାଂସଦ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପୂର୍ବତନ ସାଂସଦମାନେ ସାମୟିକ ଭାବରେ ସଂଗଠିତ ହୋଇ ଏହାର ବିରୋଧ କରିବା ଯୋଗୁ ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପର ଭୂମିପୂଜନ କରିବା ପାଇଁ ସାହସ କରିପାରି ନଥିଲେ । କିନ୍ତୁ ଦୁଃଖର କଥା ଆଜି ସେମାନେ ପୁନର୍ବାର ଆସି ଏହି ତିନୋଟି ପ୍ରକଳ୍ପର ଭୂମିପୂଜା କରି ଯାଇଛନ୍ତି । ଏହାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରା ତୀବ୍ର ନିନ୍ଦା କରିବା ସଙ୍ଗେ ସଙ୍ଗେ ତୁରନ୍ତ ଓଡ଼ିଶା ସରକାର ଏ ଦିଗରେ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ କରିବା ପାଇଁ ଦାବି କରି ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ନିବେଦନ କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ବେଳ ଥାଉ ଥାଉ ସାବଧାନ ନିତିରେ ଯଦି ଏହି ସମସ୍ୟାର ସମାଧାନ ନକରେ, ତାହେଲେ ଆସାମ-ମିଜୋରାମ ସୀମା ବିବାଦ ଭଳି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଓଡ଼ିଶା ସରକାର ମଧ୍ୟ ସୁପ୍ରିମ କୋର୍ଟରେ ମୋକଦ୍ଦମା ଥିଲାବେଳେ ଆନ୍ଧ୍ର ବାରମ୍ବାର ଏଭଳି ସୀମା ବିବାଦ ସୃଷ୍ଟି କରିବା ସୁପ୍ରିମକୋର୍ଟ ଆଇନର ଅବମାନନା, ଓଡ଼ିଶା ସରକାର ମଧ୍ୟ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଘଟଣାରେ ଉଚ୍ଚତମ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିବା ସହିତ ବିଧାନସଭା ଗୃହ କମିଟି ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।


