ଅଙ୍ଗନବାଡ଼ି କର୍ମୀ-ସହାୟିକା ସଂଘ ବୈଠକ : ଜିଲାବ୍ୟାପୀ ଆନ୍ଦୋଳନ ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା): ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ଏକ ବୈଠକ ଏଆଇଟିୟୁସିର ଜିଲା ସଭାପତି ଭାଗବତ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନ ସଭାଗୃହରେ ଆୟୋଜିତ ବୈଠକରେ ସମ୍ପାଦିକା ଗୌରୀ ଦାସ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ସବିତା ମଲିକ, କବିତା ମହାନ୍ତି, ରାଧାରାଣୀ ପଣ୍ଡା, ଆରତୀ ଦାସମହାପାତ୍ର, ସୁକାନ୍ତି ବିଶ୍ୱାଳ, ସୁନନ୍ଦା ତାଲଦି, ନମିତା ସାହୁ, ସୁକାନ୍ତି ପ୍ରଧାନ, ରାଜଲକ୍ଷ୍ମୀ ପଣ୍ଡା, ବସୁମତୀ ପ୍ରଧାନ ପ୍ରମୁଖ ବ୍ଲକ କମିଟି କର୍ମକର୍ତ୍ତା ଏଥିରେ ଉପସ୍ଥିତ ରହି ସାମ୍ପ୍ରତିକ ସ୍ଥିତିରେ କର୍ମୀ ଓ ସହାୟିକାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ । ବିଶେଷ କରି ଦରଦାମ ବୃଦ୍ଧି ଯୋଗୁଁ ଧାର୍ଯ୍ୟ ଗରମ ରନ୍ଧା ଖାଦ୍ୟ ପ୍ରଦାନ ଜନିତ ସମସ୍ୟା, କରୋନା ବେଳେ ଜୀବନକୁ ବିପଦରେ ପକାଇ ସରକାରୀ ନିର୍ଦ୍ଦେଶରେ କରିଥିବା କାର୍ଯ୍ୟର ପାଉଣା ନ ମିଳିବା, ଏକାଧିକ ବିଭାଗର କାର୍ଯ୍ୟ କରି ମଧ୍ୟ ଉଚିତ ପ୍ରାପ୍ୟ ନ ପାଇବା, ଦୁର୍ନୀତିରେ ଲିପ୍ତ କେତେକ ସିଡିପିଓ ଏବଂ ସୁପରଭାଇଜରଙ୍କ ଯୋଗୁଁ କର୍ମୀମାନେ ବଦନାମ ହେବା, ରାଜନୈତିକ ଆକ୍ରୋଶରେ ଅଙ୍ଗନବାଡ଼ି କର୍ମୀମାନଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ଆଦି ସମସ୍ୟା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏନେଇ ଜିଲାପାଳ ଓ ଜିଲା ସମାଜ ମଙ୍ଗଳ ଅଧିକାରିଣୀଙ୍କଠାରେ ଦାବି ଉପସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି । ଦାବି ସମାଧାନ ଦିଗରେ ଯଦି ବ୍ଲକ ସ୍ତରରେ ଉଚିତ ପଦକ୍ଷେପ ଗ୍ରହଣ କରା ନଯାଏ ତାହାଲେ ଆସନ୍ତା ଅକ୍ଟୋବର ମାସ ୨ୟ ସପ୍ତାହରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଜିଲାବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଏହି ବୈଠକରେ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏଆଇଟିୟୁସିର ରାଜ୍ୟ ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମାୟାଧର ନାୟକ, ଜିଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଏହି ବୈଠକରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ମେହନତି ଜନଗଣ ଐକ୍ୟବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ମୋନାଲିସା ଭୋଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


