ବାଲେଶ୍ୱରର ମୌଳିକ ସମସ୍ୟା ସାମାଧାନରେ ଅବହେଳା : ସିଭିଲ ସୋସାଇଟିର ଆନ୍ଦୋଳନ ଚେତାବନୀ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଫ୍ଲାଏ ଓଭର ବ୍ରିଜ ମରାମତିର ମନ୍ଥର ତଥା ନିମ୍ନମାନର କାର୍ଯ୍ୟଧାରା ସମେତ ଦୈନନ୍ଦିନ ଜୀବନରେ ସହରବାସୀ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ଆଶୁ ନିରାକରଣ ଦାବିରେ ‘ବଲେଶ୍ୱର ସିଭିଲ ସୋସାଇଟି’ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସହରର ପଢ଼ୁଆଁପଦା ଉଠା ଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଉପ-ସଭାପତି ବସନ୍ତ ସ, ସମ୍ପାଦକ ମନୋଜ କୁମାର ନାୟକ, ଉପଦେଷ୍ଟା ଲକ୍ଷ୍ମୀଧର ବେହେରା, ଗୌରାଙ୍ଗ ପାଣିଗ୍ରାହୀ, କୋଷଧ୍ୟକ୍ଷ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ବାଲେଶ୍ୱର ସହରବାସୀ ସାମ୍ନା କରିଚାଲିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନରେ ପ୍ରଶାସନର ଉଦାସୀନତା ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ଓଡ଼ିଶାର ପ୍ରଥମ ଫ୍ଲାଏ ଓଭର ବ୍ରଜ ଶୋଚନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ସାଙ୍ଗକୁ ସୋସାଇଟି କର୍ମକର୍ତ୍ତାମାନେ ଗଣଧାରଣା, ସ୍ମାରକପତ୍ର ପ୍ରଦାନ ଆଦି କାର୍ଯ୍ୟକ୍ରମ କରିବା ପରେ ଏହାର ମରାମତି ପାଇଁ ୪ କୋଟି, ୯୩ ଲକ୍ଷ ୨୫ ହଜାର ୭୪୨ ଟଙ୍କାର ଅନୁଦାନ ସରକାର ମଞ୍ଜୁର କରିଥିଲେ । ଟେଣ୍ଡର ମାଧ୍ୟମରେ ଦିଲୀର ହାରକ୍ୟୁଲେସ ଷ୍ଟ୍ରକଚରାଲ ସିଷ୍ଟମ ପ୍ରାଇଭେଟ ଲିମିଟେଡ ନାମକ ନିର୍ମାଣ ସଂସ୍ଥା ଏହ।।ର କାର୍ଯ୍ୟାଦେଶ ନେବା ସହ ୯ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ ଚୁକ୍ତି କରିଥିଲା । ମରାମତି ପାଇଁ ବ୍ରିଜ ତଳେ ଥିବା ଦୋକାନ ଉଚ୍ଛେଦ ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ କାର୍ଯ୍ୟ ଦାୟିତ୍ୱ ନେଇଥିବା ପର୍ତ୍ତ ବିଭାଗ ପକ୍ଷରୁ ଏନେଇ ପ୍ରଶାସନକୁ ଅବଗତ କରାଯାଇଥିଲା । ମାତ୍ର କାର୍ଯ୍ୟ ଆରମ୍ଭକୁ ଦୀର୍ଘଦିନ ବିତି ଯାଇଥିଲେ ବି ପ୍ରଶାସନ ଉଚ୍ଛେଦ ବାବଦରେ କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସୋସାଇଟିର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ଏନେଇ ସୋସାଇଟି ପକ୍ଷରୁ ରାଜ୍ୟ ଉଚ୍ଚନ୍ୟାୟାଳୟରେ ୨ ଗୋଟି ମାମଲା ଏବେ ବିଚାରାଧୀନ ଅଛି । ଦୋକାନ ଉଚ୍ଛେଦ ନହେବା କାରଣରୁ ନିର୍ମାଣ ସଂସ୍ଥା ବ୍ରିଜର ଉପରଭାଗ ଠିକ ଭାବେ ମରାମତି କରିପାରୁ ନାହିଁ । ଫଳରେ ପୋଲର ଉପରିଭାଗରେ ସୃଷ୍ଟି ହୋଇଥିବା ବଡ଼ବଡ଼ ଖାଲପଡ଼ି ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରଶାସନିକ ଅବହେଳା ପାଇଁ ପୋଲ ମରାମତି ବାବଦରେ ମଞ୍ଜୁର ୫ କୋଟି ଟଙ୍କା ପାଣିକୁ ଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କର୍ମକର୍ତ୍ତାମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ସେହିଭଳି ଭୁଶୁଡ଼ି ପଡ଼ିଥିବା ନିଷ୍କାସନ ବ୍ୟବସ୍ଥା ସହରବାସୀଙ୍କ ପାଇଁ ଆଉଏକ ଦୁଃଖ ବୋଲି ସେମାନେ କହିଛନ୍ତି । ସହରର ନାଳ ଓ ମହାନାଳ ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଆସୁଥିଲେ ବି ତା’ର ସୁବିନିଯୋଗ ଅଭାବ ଓ ଜବରଦଖଲ ଉଚ୍ଛେଦ କରିବାର ପ୍ରଶାସନିକ ଅବହେଳା ଆଗାମୀ ଦିନରେ ସହରବାସୀଙ୍କ ପାଇଁ ମହା ବିପଦ ହେବ ବୋଲି ସୋସାଇଟିର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅମୃତ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ମାଟିତଳେ ପାଇପ ବିଛା ହୋଇଥିଲେ ବି ଅଦ୍ୟାବଧି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସୁଧାର ଆସିଲା ନାହିଁ । ଅନୁରୂପ ଭାବେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ନହେବା ଓ ଷ୍ଟେସନ ସଂପ୍ରସାରଣ ପ୍ରକଳ୍ପ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଏହିସବୁ ମୌଳିକ ସମସ୍ୟାର ସାମାଧାନ ପାଇଁ ଆସନ୍ତା ଅକ୍ଟୋବର ମାସରୁ ଲଗାତର ଆନ୍ଦୋଳନ ଜାରି ରହିବ ବୋଲି ସିଭିଲ ସୋସାଇଟିର କର୍ମକର୍ତ୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।


