ମଧୁରମାଛ ଚାଷୀଙ୍କୁ ସରକାରୀ ସହଯୋଗ ପ୍ରଦାନ ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ଅନୁସୂଚିତ ବର୍ଗଙ୍କ ଆର୍ଥିକ ସ୍ଥିତିର ସୁଧାର ପାଇଁ ମନୋନୀତ ଚାଷୀଙ୍କୁ ମତ୍ସ୍ୟଚାଷ ନିମନ୍ତେ ସମସ୍ତ ପ୍ରକାର ସରକାରୀ ପ୍ରୋତ୍ସାହନ ପ୍ରଦାନ ଆରମ୍ଭ ହୋଇଛି । ସ୍ଥାନୀୟ କୁଇନ କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଅନୁସୂଚିତ ବର୍ଗର ଚାଷୀଙ୍କୁ ସାଂସଦ ଶ୍ରୀ ଷଡ଼ଙ୍ଗୀ ମଧୁର ମାଛ ଜାଆଁଳ ଓ ମାଛଖାଦ୍ୟ ପ୍ରଦାନ କରିଥିଲେ । ବାଲେଶ୍ୱର ଜିଲାର ନୀଳିଗିରି ଓ ସଦର ବ୍ଲକର ଅନୁସୂଚିତ ବର୍ଗର ମନୋନୀତ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଚାଷୀଙ୍କୁ ବି ଏହି ଯୋଜନାରେ ସାମିଲ କରାଯିବା ନେଇ ସାଂସଦ ସେ ସୂଚନା ଦେଇଛନ୍ତି । ସବୁବର୍ଗର ଚାଷୀଙ୍କ ପାଇଁ ସରକାରୀ ରିହାତି ବ୍ୟବସ୍ଥା ଥିବା ବେଳେ ଅନୁସୂଚିତ ବର୍ଗ ଓ ମହିଳା ଚାଷୀଙ୍କ ପାଇଁ ୬୦ ପ୍ରତିଶତରୁ ଅଧିକ ଅର୍ଥ ସରକାର ବହନ କରୁଥିବା ସେ କହିଉଛନ୍ତି । ତେବେ ସାଧାରଣ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ରିହାତି ବ୍ୟବସ୍ଥା ଥିବା ସେ କହିଛନ୍ତି । ସରକାରଙ୍କ ପକ୍ଷରୁ ମାଛ ଜାଆଁଳ, ମାଛଖାଦ୍ୟ ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ତଥା ବୈଷୟିକ ସହାୟକ ଯୋଗାଇ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି । ଅଧିକରୁ ଅଧିକ ଚାଷୀ ଏହି ଯୋଜନାରେ ସାମିଲ ହେବା ପାଇଁ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଆଜିର ଏହି ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏନଏଫଡିବିର ବରିଷ୍ଠ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏମ କେ ସିହ୍ନା, ମତ୍ସ୍ୟ ବୈଜ୍ଞାନିକ ଡକ୍ଟର ହିମାଂଶୁ କୁମାର ଦେ, ଆଇସିଏଆର ଓ ସିଫାର ମୁଖ୍ୟ ଡକ୍ଟର ସତ୍ୟନାରାୟଣ ସେଠୀ, ଚନ୍ଦ୍ରକାନ୍ତ ମିଶ୍ର, ମୁକୁନ୍ଦଦେବ ଦାସ, ବ୍ୟକ୍ତିଗତ ସଚିବ ଡିପି ରଥ, ଶିଶିର କୁମାର ମହାନ୍ତି ପ୍ରମୁଖ ଏହି ଉପସ୍ଥିତ ଥିଲେ ।


