ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉପରେ ଛାତ କରିବାକୁ ଅଣ୍ଟା ଭିଡିଲେ ଶିକ୍ଷକ ଓ ସମାଜସେବୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ବହୁବର୍ଷ ପୂର୍ବେ ସୈାଭାଗ୍ୟ ବଶତଃ ସ୍ଥାପିତ ହୋଇଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଦୁଃଖର କଥା ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିବେଦନ ସତ୍ୱେ ଏବଂ ବିଭିନ୍ନ ଗଣମାଧ୍ୟମରେ ଏସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେବି ସେହି ଗାନ୍ଧୀମୂର୍ତ୍ତି ଉପରେ ଛାତଟିଏ ପଡିପାରିଲା ନାହିଁ । ଏତଦବ୍ୟତିତ ସେହି ଗାନ୍ଧିମୂର୍ତ୍ତି ତଳେ ଥିବା ସ୍ମୃତିଫଳକଟି ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଏଭଳି ଏକ ମାର୍ମିକ ଘଟଣାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଶେଷରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସ୍ୱାଇଁଙ୍କ ପରାମର୍ଶରେ ସାମାଜିକ କର୍ମୀ ନଳିନୀକାନ୍ତ ପୃଷ୍ଟି, ପରିବେଶବିତ ତଥା ଶିକ୍ଷକ ପାର୍ଥସାରଥୀ ବେହେରା, ହେମନ୍ତ କୁମାର ଜେନା, ରାଜେନ୍ଦ୍ର କୁମାର ରାଉତ, ରଞ୍ଜନ କୁମାର ଜେନା, ଅନ୍ନପୂର୍ଣ୍ଣା ବିହାରୀ ପ୍ରମୁଖ ଏକ ମିଳିତ ନିଷ୍ପତ୍ତି ନେଇ ଅବିଳମ୍ବେ ସେହି ଗାନ୍ଧୀ ପ୍ରତିମୂର୍ତ୍ତି ଉପରେ ଛାତ ଓ ସ୍ମୃତିଫଳକକୁ ନିଜ ଖର୍ଚ୍ଚରେ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ଲୋଡିଥିବା ଜଣାପଡିଛି । ପ୍ରକାଶ ଥାଉକି ସେହି ଗାନ୍ଧୀମୂର୍ତ୍ତି ଉପରେ ଚଢେଇ, ମାଙ୍କଡ ପ୍ରଭୃତି ମଳତ୍ୟାଗ କରିବା ଓ ଖରାବର୍ଷାରେ ମୂର୍ତ୍ତିଟି ଶ୍ରୀହୀନ ହେବା ଘଟଣା ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ । ଗାନ୍ଧୀଙ୍କ ଫଟୋଚିତ୍ର ଓ ଅଦ୍ୱିତୀୟ ଚଷମାକୁ ନେଇ ସାରା ଦେଶରେ ଦୈନିକ ନୂତନ ଯୋଜନା ହେଉଥିବା ବେଳେ ଶିକ୍ଷା ବିଭାଗର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଏଭଳି ଅବହେଳା ସାଧାରଣରେ ବ୍ୟଥିତ କରିଛି । ଶିକ୍ଷା କାର୍ଯ୍ୟାଳୟରେ ଦୈନିକ ଅସମ୍ଭବ ଗହଳି ପରିଲକ୍ଷିତ ହେଉଥିବା ବେଳେ ଏବଂ ହାତଚିକଣ କରି ଚାଲିଥିବା ବିଭାଗର କର୍ମଚାରୀମାନଙ୍କର ଏହି ମୂର୍ତ୍ତପ୍ରତି ନଜର ଆନ୍ଦାଜକୁ ସାଧାରଣ ଜନତା ନାପସନ୍ଦ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ମିଳିଲେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପୂର୍ବରୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରନ୍ତା ବୋଲି କହିଛନ୍ତି ଆବେଦନକାରୀମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ