ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ଥାନା ଅନ୍ତର୍ଗତ ଡେରିକି ବଜାରରେ ଥିବା ସାଧୁବ୍ରହ୍ମ ମୋବାଇଲ୍ ଦୋକାନରୁ ଗୁରୁବାର ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ଯାଇଥିବା ଶୁକ୍ରବାର ଦୋକାନୀ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୋବାଇଲ ଦୋକାନୀ ସୁବାସ ଜେନାଙ୍କ ଅଭିଯୋଗ ମୁତାବକ ସବୁଦିନ ପରି ସେ ଗୁରୁବାର ରାତି ୯ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତା ପରଦିନ ତଥା ଶୁକ୍ରବାର ସକାଳ ୮ଟାରେ ଦୋକାନ ଖୋଲି ଦେଖିଲା ବେଳକୁ ଦୋକାନର ଆଜବେଷ୍ଟ ଭଙ୍ଗା ଯାଇ ଦୋକାନରେ ଥିବା ୪୦ଟି ସ୍ମାର୍ଟ ଫୋନ ଓ ୩୦ଟି କିପ୍ୟାଡ ମୋବାଇଲ ଚୋରି ହୋଇଯାଇଛି । ଯାହାର ଆନୁମାନୁକ ମୂଲ୍ୟ ୭ରୁ ୮ଲକ୍ଷ ଟଙ୍କା ହେବ । ଚୋରି ହୋଇ ଯାଇଥିବା ମୋବାଇଲକୁ ଉଦ୍ଧାର କରିବା ସହିତ ଚୋରୀରେ ସଂପୃକ୍ତ ଥିବା ଦୁର୍ବୃତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଏସଆଇ ବିଭୁତି କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଁଚି ପ୍ରାଥମିକ ତଦନ୍ତ କରିବା ପରେ ଦୁର୍ବତକୁ ଧରିବା ପାଇଁ ସନ୍ଧାନୀ କୁକୁର ଓ ଫରେନସିକ ବିଭାଗର ସହାୟତା ମଧ୍ୟ ନିଆଯାଇଛି । ସନ୍ଧାନୀ କୁକୁର ଦୋକାନର କିଛି ଦୁରରେ ଥିବା ନେତାଜୀ ଯୁଥ କ୍ଳବ ପର୍ଯ୍ୟନ୍ତ ଯାଇ ଫେରିଥିବା ବେଳେ ଦୁର୍ବୃତଙ୍କର କୌଣସି ସନ୍ଧାନ ମିଳି ନଥିବା ଜଣାଯାଇଛି । ଏପରିକି ପୋଲିସ ପକ୍ଷରୁ ବଜାର ମଧ୍ୟରେ ଯେଉଁ ଦୋକାନ ଗୁଡିକରେ ସିସିଟିଭି କ୍ୟାମେରା ରହିଛି ତାକୁ ମଧ୍ୟ ଯାଂଚ କରାଯାଉଛି । ଏସଂର୍ପକରେ ନାଉଗାଁ ଆନା ଆଇଆଇସି ଅଭୟ କୁମାର ବେହେରାଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


