ମଙ୍ଗଳା ମନ୍ଦିରର ମୁଖ୍ୟ ଦ୍ୱାରରୁ ଖସୁଛି ପଲସ୍ତରା,ପ୍ରଶାସନର ନିଘାନାହିଁ
ନିମାପଡା (ସନ୍ତୋଷ ଦାଶ ): ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର ବିଭିନ୍ନ ସମୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିବାବେଳେ ଉତ୍ତର ପଟ ସିଂହ ଦ୍ୱାରର ଛାତରୁ ପଲସ୍ତରା ଖସୁଥିବାବେଳେ ସ୍ଥାନୀୟ ଟ୍ରଷ୍ଟ ବୋର୍ଡ କିମ୍ବା ମନ୍ଦିର ପ୍ରଶାସନର ନିଦ ଭାଙ୍ଗୁ ନଥିବାରୁ ଭକ୍ତ ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି l ଉତ୍ତର ପଟ ମୁଖଶାଳାରୁ ପାଣି ଝରୁଥିବା ବେଳେ ଦେବୋତ୍ତର ବିଭାଗ ଚୁପ ବସିଛି l ଦୀର୍ଘ ୨ ବର୍ଷ ଧରି କୋଭିଡ କଟକଣା ପାଇଁ ମନ୍ଦିର ଦ୍ୱାର ବନ୍ଦ ଥିଲେ ମଧ୍ୟ ମନ୍ଦିରର ଆୟ ହ୍ରାସ ହୋଇଥିବାବେଳେ ମନ୍ଦିରର ପ୍ରତି ଦେବୋତ୍ତର ବିଭାଗ ଆଖି ବୁଜି ଦେଇଛି l ସାମାନ୍ୟ ମରାମତି କାର୍ଯ୍ୟକୁ ମନ୍ଦିର ପ୍ରଶାସନ ଅଣଦେଖା କରୁଥିବାରୁ ଆଗାମୀ ଦିନରେ ମା ଙ୍କ ମନ୍ଦିର ପ୍ରତି ବଡଧରଣର ବିପଦ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି l ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାରମ୍ବାର ବଦଳି, ଟ୍ରଷ୍ଟ ବୋର୍ଡର ସଭାପତି ତଥା ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ମନ୍ଦିର ପ୍ରତି କୌଣସି ସ୍ତରରେ ପଦକ୍ଷେପ ନ ନିଆଯିବା ଯୋଗୁଁ ଭକ୍ତ ମହଲରେ ନୈରାଶ୍ୟ ଭାବ ଦେଖା ଦେଇଛି l ଏ ସମ୍ପର୍କରେ ମନ୍ଦିର ଟ୍ରଷ୍ଟି ବିରଞ୍ଚି ନାରାୟଣ ବେହେରାଙ୍କୁ ପଚାରିବାରେ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ନହେବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହେଇଛି ବୋଲି ମତପ୍ରକାଶ କରିଛନ୍ତି l ଏଣୁ ତୁରନ୍ତ ବିଭାଗୀୟ କତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି l


