ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ବାଲେଶ୍ୱର ସାଂସଦଙ୍କ ସହ କ୍ରିୟାନୁଷ୍ଠାନ କମିଟିର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସ୍ଥିତି ସମେତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସେଟଲାଇଟ କେନ୍ଦ୍ରର ବହିର୍ବିଭାଗ କାର୍ଯ୍ୟକ୍ଷମ ସମ୍ପର୍କରେ ଫକୀର ମୋହନ ଭେଷଜ ମହାବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାମାନେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଛନ୍ତି । ସେଟଲାଇଟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଆୟୁଷ ହସପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ହୃଦରୋଗ ବିଶେଷଜ୍ଞ ନିଯୁକ୍ତି ଦେବା ଓ ସ୍ୱାସ୍ଥ୍ୟସେବା ସମିତିର ତୁରନ୍ତ ବୈଠକ ଆହ୍ୱାନ ଓ ଭେଷଜ ମହାବିଦ୍ୟାଳୟ ପରିସରରେ ନିର୍ମାଣାଧିନ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଜାତୀୟ ରାଜପଥକୁ ପ୍ରସ୍ତାବିତ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବା ପ୍ରଭୃତି ପ୍ରସଙ୍ଗ ଉପରେ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନେ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଥିଲେ । ସର୍କିଟ ହାଉସରେ ଆୟୋଜିତ ଏହି ବୈଠକରେ କମିଟିର ଉପଦେଷ୍ଟା ବୈଦ୍ୟନାଥ ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସ, ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, ଜିଲା ପରିଷଦ ସଭ୍ୟ ସୀତାରାମ ପ୍ରଧାନ ଓ ବ୍ରହ୍ମାନନ୍ଦ ଦାସ ସାଂସଦଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଆସନ୍ତା ଦୁର୍ଗାପୂଜା ପୂର୍ବରୁ ଏମ୍ସର ବହିର୍ବିଭାଗ ଉଦଘାଟନ ଓ ଚଳିତମାସ ୩ୟ ସପ୍ତାହରେ ସ୍ୱାସ୍ଥ୍ୟସେବା ସମିତିର ବୈଠକ ହେବ ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ବୈଠକରେ ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସାଂସଦ କହିଥିବା ନେଇ ପ୍ରତିନିଧିମାନେ ସୂଚନା ଦେଇଛନ୍ତି ।


