ମୁଖ୍ୟ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ
ବାଲେଶ୍ୱର, (ସରୋଜ ପଣ୍ଡା): ଜିଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ଆଣିଥିବା ୧୦୮ ଆମ୍ବୁଲାନ୍ସ ଚାଳକ ଓ ରୋଗୀ ତତ୍ତ୍ୱାବଧାରକ(ଫାର୍ମସିଷ୍ଟ)ଙ୍କୁ ଜନୈକ ଯୁବକ ଡାକ୍ତରଖାନା ପରିସରରେ ତେଲେଙ୍ଗା କଟୁରୀରେ ହାଣିବାକୁ ଗୋଡ଼େଇବା ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି । ପ୍ରାପ୍ତ ସୁରେମୁଣା ବ୍ଲକ ଗୋପୀନାଥପୁର ପଞ୍ଚାୟତର ହସନପୁର ଅଞ୍ଚଳରୁ ଜଣେ ରୋଗୀଙ୍କୁ ନେଇ ଓଡି୦୨ବିଜେ/୯୬୮୬ ନଂ ବିଶିଷ୍ଟ ୧୦୮ ଆମ୍ବୁଲାନ୍ସ ରବିବାର ଅପରାହ୍ଣ ପ୍ରାୟ ୫ଟା ୩୦ ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ବହିର୍ବିଭାଗରେ ପହଞ୍ଚିଥିଲା । ରୋଗୀଙ୍କୁ ଓହ୍ଲାଇବା ପରେ ଆମ୍ବୁଲାନ୍ସକୁ ଏହାର ଚାଳକ ଡାକ୍ତରଖାନା ପରିରସସ୍ଥ ପ୍ରସୂତି ବିଭାଗ ନିକଟ ଫାଙ୍କା ସ୍ଥାନରେ ପାର୍କିଂ କରିଥିଲେ । ଚାଳକଙ୍କ ସମେତ ଫାର୍ମାସିଷ୍ଟ ଶଶିକାନ୍ତ ଦାସ ଆମ୍ବୁଲାନ୍ସରେ ମଧ୍ୟରେ ଥାଇ ଆଣିଥିବା ରୋଗୀ ଓ ଗାଡ଼ି ଚାଳନାର ଦୂରତା ଆଦି ସମ୍ପର୍କରେ ବିବରଣୀ ଲେଖୁଥିଲେ । ଆମ୍ବୁଲାନ୍ସର କବାଟ ବନ୍ଦ ଥିବା ବେଳେ ଜଣେ ଯୁବକ ହାତରେ ଏକ ତେଲଙ୍ଗା କଟୁରୀ ଧରି ଆମ୍ବୁଲାନ୍ସ କବାଟକୁ ଜୋରରେ ବାଡ଼େଇଥିଲା । କବାଟ ଖୋଲିବା ବିଳମ୍ବ ହେବା ଦେଖି ସମ୍ପୃକ୍ତ ଯୁବକ କଟୁରୀରେ ଆମ୍ବୁଲାନ୍ସ କବାଟର କାଚକୁ ପାହାର ବସାଇଥିଲେ । ଫଳରେ ଭଙ୍ଗାକାଚ ଫାର୍ମାସିଷ୍ଟର ମୁହଁ ତଥା ଆଖିରେ ବାଜି କ୍ଷତ ସୃଷ୍ଟି କରିଥିଲା । ଏହାକୁ ଦେଖି ଚାଳକ ସେଠାରୁ କୌଶଳ କ୍ରମେ ଦୌଡ଼ି ପଳାଇ ଯାଇଥିବା ବେଳେ ଯୁବକ ଜଣକ ଆମ୍ବୁଲାନ୍ସର ଆଗ ଟାୟାରକୁ ହାଣିଥିଲା । ଏହି ସମୟରେ ଫାର୍ମାସିଷ୍ଟ ଶଶିକାନ୍ତ ମଧ୍ୟ ଗାଡ଼ିରୁ ଓହ୍ଲାଇ ଦୌଡ଼ିବା କ୍ଷଣି ସମ୍ପୃକ୍ତ ଯୁବକ ତାଙ୍କୁ ଗୋଡ଼ାଇଥିଲା । ଶବ ବ୍ୟବଚ୍ଛେଦ ଗୃହ ପର୍ଯ୍ୟନ୍ତ ଯାଇ ଶିଶିକାନ୍ତକୁ ନପାଇ ଶେଷରେ କଟୁରୀକୁ ରାସ୍ତାରେ ପକାଇ ଯୁବକ ସେଠାରୁ ଉଭାନ ହୋଇଯାଇଥିଲା । ତେବେ ଏହି ଗୋଡ଼ାଇବା ଦୃଶ୍ୟକୁ ଦେଖି ଡାକ୍ତରଖାନା ପରିସରର ଲୋକେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଥିଲେ । ପରେ ଶଶିକାନ୍ତ ଓ ଆମ୍ବୁଲାନ୍ସ ଚାଳକ ଆସି ଡାକ୍ତରଖାନା ଫାଣ୍ଡିରେ ଏତଲା ଦେଇଥିଲେ । ପୁଲିସ ଏବେ ସମ୍ପୃକ୍ତ ଯୁବକଙ୍କୁ ଖୋଜୁଛି ।


