ଭାରତ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ
କୋଣାର୍କ, (ଗଣେଷ ବେହେରା):କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ଅଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନାଟ୍ଯଦୀପ ଆନୁକୁଲ୍ୟରେ କୋଣାର୍କ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସାମାଜିକ ସଂଗଠନ ନାଟ୍ଯଦୀପ ନିର୍ଦ୍ଦେଶକ କାଳନ୍ଦୀ ଚରଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବଚ୍ଛତା ଓ ଡଷ୍ଟବିନ ବଣ୍ଟନ କାର୍ଯ୍ୟକ୍ରମରେ ଭାରତ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ରଶ୍ମି ସୋନିଆ ତୀର୍କୀ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ, ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି, ଆରପିଡିଓ ସମ୍ପାଦକ ଭାଗୀରଥୀ ସ୍ୱାଇଁ ଓ ଜଗନ୍ନାଥ ବେହେରା ପ୍ରମୁଖ ଯୋଗ ଦେଇ ବିଶ୍ବ ଐତିହ୍ୟ କୋଣାର୍କ କୁ ସ୍ବଚ୍ଛତା ରଖିବା ପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ଆନ୍ତରିକତା ଓ ନିଷ୍ଠାପର ଭାବନା ଏହି ଐତିହାସିକ ସହରକୁ ଏକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସହର ଭାବେ ଗଢି ତୋଳିବା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରାଯିବା ସହ ସୂର୍ଯ୍ୟ ମନ୍ଦିର ଟିକେଟ ଘର, ବ୍ଯାଖାନ କେନ୍ଦ୍ର ପରିସର, ଚନ୍ଦ୍ରଭାଗା ମେରାଇନ ଥାନା, ସମୁଦ୍ର କୂଳ ଓ ଚନ୍ଦ୍ରଭାଗା ବଜାର ଆଦି ସ୍ଥାନରେ ସ୍ବଚ୍ଛତା ଆଣିବା ପାଇଁ ବାଉଁଶରେ ନିର୍ମିତ ୧୫ଟି ଡଷ୍ଟବିନ ରଖାଯାଇଥିଲା। ଏହି ଅବସରରେ ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକ ମାନଙ୍କୁ ନେଇ ହାତଧୁଆ କାର୍ଯ୍ୟକ୍ରମ ଓ ପରେ ପରେ ଚନ୍ଦ୍ରଭାଗା ଠାରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ବିଶ୍ବ ଐତିହ୍ୟ କୋଣାର୍କ ଠାରେ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ପର୍ଯ୍ୟଟକ ମାନଙ୍କ ନିମନ୍ତେ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସରକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ରଶ୍ମି ସୋନିଆ ତୀର୍କୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସଂପାଦକ ନିତ୍ୟାନନ୍ଦ ମହାରଣା, ଅଲେଖ ବେହେରା, ମାନସ ପ୍ରଧାନ, ବାନାମ୍ବର ଜେନା, କୁନାଲ ପାତ୍ର, ବିଭୂଦେନ୍ଦୁ ରଥ ପ୍ରମୁଖ ପରିଚାଳନା କରିଥିଲେ।


