କୃଷକ ଗଣହତ୍ୟା ବିରୁଦ୍ଧରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ଓ ଆନ୍ଦୋଳନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଠାରେ ବିଜେପି ନେତାଙ୍କ ପୁଅ ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ନିଜ କାରକେଡ ଚଢାଇଦେଇଥିଲେ । ଯାହାଦ୍ୱାରା ଘଟଣାସ୍ଥଳରେ ହିଁ ୮ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା । ଏହି ସମ୍ବେଦନଶୀଳ ଘଟଣା ପରେ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଘଟଣା ସଂପର୍କରେ ଜାଣିବା ପାଇଁ ଯିବା ସମୟରେ ଅଧା ରାସ୍ତାରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ତାଙ୍କୁ ଜୋର ଜବରଦସ୍ତ ଅଟକାଯାଇ ଗିରଫ୍ କରାଯାଇଥିଲା । ଯାହାକି ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଅଟେ । ଏହାକୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ବିଜେପି ଗୁଣ୍ଡା ମାନଙ୍କ ଦ୍ୱାରା ୮ ଜଣ କୃଷକଙ୍କୁ ଗଣହତ୍ୟା ପ୍ରତିବାଦରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା କଂଗ୍ରସ କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ରଜେନାଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ନେତା ଓ କର୍ମୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଆନ୍ଦୋଳନ କରିଥିଲେ । ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ ଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ୩ଟି କଳା କୃଷି ଆଇନକୁ ବିରୋଧ କରି ଦୀର୍ଘ ମାସ ଧରି ସମଗ୍ର ଦେଶ ବ୍ୟାପି ସମସ୍ତ ଚାଷୀ ସଂଗଠନ, ଗଣ ସଂଗଠନ ଏକତ୍ର ହୋଇ ଅହୋରାତ୍ର ଧାରଣାରେ ବସିଛନ୍ତି । ସବୁଠାରୁ ଲଜ୍ଜା ଜନକ ବିଷୟ ଏହିକି ଯେ, ଏଥିପ୍ରତି କେନ୍ଦ୍ର ସରକାରଙ୍କ ଆଦୌ ନିଘା ନାହିଁ । ଯେତେବେଳେ କି, ଜୟ ଜବାନ – ଜୟ କିଷାନ ବୋଲି ନାରା ଦିଆଯାଏ ସେ ସମୟରେ ବାସ୍ତବରେ ଏହାକୁ ଲଗାତାର ଭାବେ ସମ୍ପୁର୍ଣ୍ଣ ଭାବେ ଅଣଦେଖା କରାଯାଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଚାଷୀ ସେମାନଙ୍କ ହକ ପାଇଁ ଲଢେଇ କରୁଥିବା ବେଳେ ଚାଷୀ ମାନଙ୍କୁ ହତ୍ୟା କରାଯାଉଛି । ଏହିପରି ଏକ ଅଭାବନୀୟ ଘଟଣା ଘଟାଇଥିବା ବିଜେପି ନେତାଙ୍କ ପୁଅକୁ ଯଥାଶୀଘ୍ର ଗିରଫ୍ କରିବା ସହିତ ୩ଟି କୃଷି ବିରୋଧି କଳା ଆଇନକୁ ରଦ୍ଦ କରିବା ସହ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରି କୃଷକ ମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ନିମନ୍ତେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି ହୋଇଛି । ପ୍ରାରମ୍ଭରେ ସ୍ଥାନୀୟ ଅପର ବସଷ୍ଟାଣ୍ଡ ଠାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ପରେ ଆନ୍ଦୋଳରେ ସାମିଲ୍ ହୋଇଥିଲେ । ଏଥିରେ ରାଷ୍ଟ୍ରୀୟ କିଶାନ କଂଗ୍ରେସ ସମ୍ପାଦକ ରଶ୍ମି ରଞ୍ଜନ ପଟ୍ଟନାୟକ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ କୁମାର ଶତପଥି, ନଗର ସଭାପତି ଜଲାଲ ଖାନ୍‌, ଗଞ୍ଜାମ ବ୍ଲକ ସଭାପତି ଏନ୍ ଗଣେଷ ରେଡ୍ଡି, ମହିଳା ସଭାନେତ୍ରୀ ବନଜା ପଣ୍ଡା, ଆଇନଜିବୀ ବାବୁ ନାହାକ, ପୂର୍ବତନ ସରପଂଚ ଟି. କ୍ରିଷ୍ଣା ରେଡ୍ଡି ଓ ଡି.ରାମସ୍ୱାମୀ ରେଡ୍ଡି, ଛାତ୍ର କଂଗ୍ରେସର ସଭାପତି ବିକାଶ ପଶୁପାଳକ, ଲକ୍ଷ୍ମୀ ପାତ୍ର, ମହେଶ ଗୌଡ, ସୁବୋଧ ସୁମନ ସ୍ୱାଇଁ , ଜିତୁ ବିଷୋୟୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ