ସାରର ଅଭାବ ଓ କଳାବଜାରୀ ନେଇ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲା ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘ

ଛତ୍ରପୁର, (ଦେବଦତ୍ତ ମହାରଣା) : ସାରର କୃତିମ ଅଭାବ ଓ କଳାବଜାର ରୋକିବା ନିମନ୍ତେ ପୁରୁଷୋତ୍ତମପୁର ସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଅଂଚଳର ଚାଷି ମାନଙ୍କ ପାଇଁ ଧାନ ଫସଲରେ ପକାଇବା ପାଇଁ ରାସାୟନିକ ସାରର ଘୋର ଅଭାବ ହେଉଅଛି । ସ୍ଥାନୀୟ ଡିଲର ମାନେ ନିଜ ଅଂଚଳର ଚାଷୀ ମାନଙ୍କୁ ସାର ନଦେଇ ବାହାର ଗ୍ରାମର ଚାଷୀମାନଙ୍କୁ ଚଢା ଦରରେ ବିକ୍ରି କରିଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଂଚଳରେ ଏକ ସମବାୟ ସମିତି ରହିଅଛି, କିନ୍ତୁ ସେହି ସମବାୟ ସମିତି ଜରିଆରେ ପୁରୁଷୋତ୍ତମପୁର ଅଂଚଳର ଚାଷୀମାନଙ୍କୁ ସାର ଯୋଗାଇ ଦିଆଯାଉନଥିବା ମଧ୍ୟ ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଯାହାଦ୍ୱାରା ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଏହାର ତଦନ୍ତ କରି ଚାଷୀମାନଙ୍କ ସକାଶେ ତୁରନ୍ତ ରାସାୟନିକ ସାର ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘର ସଭାପତି ଜେ. ମୁକୁନ୍ଦ ରାଓ, ରମେଶ ଚନ୍ଦ୍ର ଗୌଡ, କେ. ଜଗନ୍ନାଥ ଦୋରା, କିଶୋର କୁମାର ସାସମଲ, ଶନିଆ ଗୌଡ, ନଚିକେତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ