ଦାରିଙ୍ଗବାଡିର ରାଜସ୍ୱ ବିଭାଗ ଲୋକଙ୍କୁ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ଅଭିଯୋଗ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ ରାଜସ୍ୱ ବିଭାଗ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ପାଇଁ ସରକାରୀ ସେବା ସଠିକ ଭାବେ ପାଉନାହାନ୍ତି ସାଧାରଣ ଲୋକ । ଛାତ୍ରଛାତ୍ରୀ ତଥା ବେକାର ଯୁବକ ଓ ଯୁବତୀ ମାନେ ନିଜର ପାଠ ପଢା ଓ ଚାକିରୀ ନିମନ୍ତେ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟଳୟରେ ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର ଓ ଆୟ ପ୍ରମାଣ ପତ୍ର ଆବେଦନ କରୁଥିବା ବେଳେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ପ୍ରମାଣ ପତ୍ର ଦିଆଯାଉନାହିଁ । ବରଂ ନିର୍ଦ୍ଧାରିତ ତାରିଖର ଦୁଇ ,ତିନି ମାସ ବିତିଗଲେ ସୁଦ୍ଧା ପିଲାମାନେ ପ୍ରମାଣ ପତ୍ର ପାଇପାରୁନାହାନ୍ତି । ରାଜସ୍ୱ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟଳୟକୁ ବାରମ୍ବାର ଦୌଡ଼ିଲେ ସୁଦ୍ଧା କାମ ହେଉନଥିବା ଛାତ୍ର ପାର୍ଥସାରଥୀ ସାହୁ, ଧ୍ରୁବ ବେହେରା, ପ୍ରଦୀପ ବେହେରା, ସୁଜାତା ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ରାଜସ୍ୱ ବିଭାଗର ଏଭଳି ଖାମଖିଆଲି ନୀତି ଯୋଗୁଁ ବହୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜରେ ନିଜ ଆଡମିଶନ ମଧ୍ୟ ସଠିକ ସମୟରେ କରିପାରିନଥିବା ବେଳେ ଆଉ କିଛି ପିଲା ଅଣ୍ଡରଟେକିଙ୍ଗ ଲେଖି ଆଡ଼ମିଶନ କରିଛନ୍ତି । ଅଣ୍ଡରଟେକିଙ୍ଗର ସମୟ ସୀମା ସରିଗଲେ ସୁଦ୍ଧା ପ୍ରମାଣ ପତ୍ର ନମିଳିବାରୁ ପିଲା ବହୁ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଯୁବକ ଯୁବତୀ ମାନେ ଚାକିରୀରେ ଆବେଦନ କରିବା ନିମନ୍ତେ ବିଭିନ୍ନ ପ୍ରମାଣ ପତ୍ର ଆବେଦନ କରୁଥିବା ବେଳେ ସଠିକ ସମୟରେ ପ୍ରମାଣ ପତ୍ର ପାଇପାରୁ ନଥିବା ଯୋଗୁଁ ସରକାରୀ ଚାକିରୀରେ ଆବେଦନ କରିପାରୁନଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଲୋକେ ନିଜର ଟ୍ରେସ ମ୍ୟାପ କପି ନିମନ୍ତେ ୫୦ ଟଙ୍କା ଫି ଜମା କରି ଫର୍ମ ଆବେଦନ କରୁଥିଲେ ସୁଦ୍ଧା ରେକର୍ଡ ରୁମ୍ ରେ ଲାଞ୍ଚ ନଦେଲେ କେତେବେଳେ ରେକର୍ଡ ରୁ ଟ୍ରେସ ମ୍ୟାପ ହଜେଇ ଦେଉଛନ୍ତି ତ ଆଉ କେତେ ବେଳେ ସମ୍ପୂର୍ଣ୍ଣ ରେକର୍ଡ ହଜେଇ ଦେଉଥିବା ଟ୍ରେସ ମ୍ୟାପ ଆବେଦନକାରୀ କେ.ବାଳକୃଷ୍ଣ ଆଚାରି ଅଭିଯୋଗ କରିଛନ୍ତି । ଏଭଳି ଭାବେ ଦାରିଙ୍ଗବାଡ଼ି ତହସିଲ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କ ଜାତିଗତ ପ୍ରମାଣ ପତ୍ର ଅନୁମୋଦନ ନହୋଇ ପଡ଼ିରହିଛି । ତହସିଲଦାର ଚର୍ଲେସ ନାୟକଙ୍କୁ ପଚାରିବାରୁ ସେ କହିଲେ ପ୍ରମାଣ ପତ୍ର ଅଧିକ ଆବେଦନ ଯୋଗୁଁ ସଠିକ ସମୟରେ ଅନୁମୋଦନ ହୋଇପାରୁନାହିଁ l ଏହାର ଯଥା ଶୀଘ୍ର ସମାଧାନ କରାଯିବ ବୋଲି କହିବା ସହ ରେକର୍ଡ ରୁମ୍ ରେ କେଉଁମାନେ ଏଭଳି ଲାଞ୍ଚ ମାଗୁଛନ୍ତି ତାହା ମୁଁ ତଦନ୍ତ କରିବି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ