ନିମ୍ନମାନର କାର୍ଯ୍ୟକୁ ନେଇ ସିଭିଲ ସୋସାଇଟିର ଆନ୍ଦୋଳନ ଚେତାବନୀ
ବାଲେଶ୍ୱର, (ସରୋଜ ପଣ୍ଡା) : ଫକୀର ମୋହନ ଗୋଲେଇରୁ ସହଦେବଖୁଣ୍ଟା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଉଡ଼ନ୍ତାପୋଲର ମରାମତିରେ ନିମ୍ନମାନର କାର୍ଯ୍ୟକୁ ନେଇ ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ସମ୍ପାଦକ ଆଇନଜୀବୀ ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ସୋସାଇଟିର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କୁ ସାକ୍ଷାତ ସହ ପୋଲର ମରାମତିରେ ହେଉଥିବା ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ପୋଲର ନିମ୍ନ ଭାଗରେ ଆବଶ୍ୟକୀୟ ମରାମତି କରିବା ପରିବର୍ତ୍ତେ ଉପରିଭାଗରେ ପିଚୁକାମ ଶେଷ କରାଯାଇଛି । ଏଭଳି ସ୍ଥିତିରେ ପୋଲର ଖମ୍ବ ଓ କଂକ୍ରିଟ ସ୍ଲାବ ମରାମତି କିପରି ହେବ ବୋଲି ସୋସାଇଟି ପ୍ରଶ୍ନ କରିଛି । ଅନ୍ୟପକ୍ଷରେ ପୋଲର ପଶ୍ଚିମ ପାଶ୍ୱର୍ ବ୍ୟବସାୟୀମାନଙ୍କ ଉଚ୍ଛେଦ ପରେ ମରାମତି କାର୍ଯ୍ୟ କରାଯାଇଥିବା ବେଳେ ପୂର୍ବପଟରେ ବ୍ୟବସାୟୀଙ୍କୁ ଅପସାରଣ ନ କରି ଠିକା ସଂସ୍ଥା କାର୍ଯ୍ୟ କିପରି ଓ କେମିତି ଶେଷ କଲା ତାହାକୁ ନେଇ ସୋସାଇଟିର କର୍ମକର୍ତ୍ତମାନେ ଉଦବେଗ ପ୍ରକାଶ କରିଛନ୍ତି । ମରାମତି କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଭାଗୀୟ ଇଞ୍ଜିନିୟରମାନେ ଉଚ୍ଛେଦ ପ୍ରକ୍ରିୟା ଶେଷ ନ ହେଲେ ସଠିକ ମରାମତି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଜିଲା ପ୍ରଶାସନକୁ ବହୁବାର ଚିଠି ଲେଖିଥିବା ବେଳେ ଏବେ ପୋଲ ତଳଭାଗର ମରାମତି କାର୍ଯ୍ୟ କିପରି କରାଯାଉଛି ତାହାକୁ ନେଇ ସେମାନେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଶ୍ନ କରିଥିଲେ । ବିପଦ ଶଙ୍କୁଳ ଅବସ୍ଥାରେ ଥିବା ପୋଲର ଉଚିତ ମରାମତି କରାନଯାଇ ସରକାରୀ ଅର୍ଥ ଆତ୍ମସାତ୍ ପାଇଁ ଏକ ଚକ୍ରାନ୍ତ ହୋଇଛି ବୋଲି ସୋସାଇଟି ପକ୍ଷରୁ ଆରୋପ କରାଯାଇଛି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା ନ କରି ଯେନତେନ ପ୍ରକାରେଣ ମରାମତି କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ ହେଉଥିବା ନେଇ କର୍ମକର୍ତ୍ତାମାନେ କହିଛନ୍ତି । ପୋଲର ମରାମତି ପାଇଁ ଅଟକଳ ହୋଇଥିବା ୮.୯ କୋଟି ଟଙ୍କାରୁ ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ୪.୯୩ କୋଟି ଟଙ୍କାକୁ ହଡ଼ପ ନିମନ୍ତେ ଏଭଳି କାର୍ଯ୍ୟ କରାଯାଉଥିବା ସେମାନେ କହିଛନ୍ତି । କାହାର ଚାପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ତାହାକୁ ନେଇ ସୋସାଇଟି ପକ୍ଷରୁ ପ୍ରଶ୍ନ କରାଯାଇଛି । ପିଲାର ତଳୁ ଦୋକାନ ଅପସାରଣ ସହ ପୋଲର ନିମ୍ନ ଭାଗ ତୁରନ୍ତ ଉଚିତ ମରାମତି କରା ନ ଗଲେ ଆଗାମୀ ଦିନରେ ସିଭିଲ ସୋସାଇଟି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଜିଲା ପ୍ରଶାସନ ସ୍ପଷ୍ଟୀକରଣ ନ ଦେବା ପର୍ଯ୍ୟନ୍ତ ଏହି ପୋଲରେ ଯାତାୟାତ ବନ୍ଦ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି । ଏନେଇ ସୋସାଇଟି ପକ୍ଷରୁ ଏକ ଦାବିପତ୍ର ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲାପାଳଙ୍କ ସହ ଆଲୋଚନା ବେଳେ ସୋସାଇଟିର ସଭାପତି ଓ ସମ୍ପାଦକଙ୍କ ସମେତ ଗୌରାଙ୍ଗ ପାଣିଗ୍ରାହୀ, ସନ୍ତୋଷ କୁମାର ସାହୁ, ସୀତାରାମ ପ୍ରଧାନ, ବିକାଶ ଦାସ, ନିରଞ୍ଜନ ପରିଡ଼ା, ଦେବବ୍ରତ ପାଣିଗ୍ରାହୀ, ରବି କୁମାର ପାଣିଗ୍ରାହୀ, ପରମାନନ୍ଦ ପଣ୍ଡା, ନିର୍ମଳ କୁମାର ନାୟକ, ସମରେନ୍ଦ୍ର ନାଥ ପଣ୍ଡା, ପରମେଶ୍ୱର ପାତ୍ର, ଶ୍ୟାମସୁନ୍ଦର ଜେନା, ସଂଜିତ କୁମାର ପାଢ଼ୀ, ଶରତ ଚନ୍ଦ୍ର ଦଳାଇ, ସୁଦର୍ଶନ ଦାସ ଓ ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


