ଓଡ଼ିଶା ଦୃଷ୍ଟି ବାଧିତ କ୍ରିକେଟ ଦଳର ଦୁଇ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) : କ୍ରିକେଟ ଆସୋସିଏସନ ଫର ଦି ବ୍ଲାଇଣ୍ଡ ଇନ ଇଣ୍ଡିଆ (ସିଏବିଆଇ) ପକ୍ଷରୁ ଆସନ୍ତା ୧୭ ତାରିଖରୁ ଦିଲୀରେ ହେବାକୁ ଯାଉଥିବା ଜାତୀୟ ସ୍ତର ଟୁର୍ଣ୍ଣାମେଣ୍ଟ ‘ନଗେଶ ଟ୍ରଫି’ ପାଇଁ ଓଡ଼ିଶା ଦୃଷ୍ଟି ବାଧିତ କ୍ରିକେଟ ଦଳର ସ୍ଥାନ ପାଇଥିବା ବାଲେଶ୍ୱର ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଦୁଇ ପୂର୍ବତନ ଛାତ୍ରଙ୍କୁ ଆଜି ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ରାଣୀ ପାଟଣା ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଏହି ଦୁଇ ପୁରାତନ ଛାତ୍ର ହେଲେ ଲୁଲୁ ପ୍ରସାଦ ସୋରେନ ଓ ସିଙ୍ଗରାୟ ମାଝୀ । ଏହି ଛାତ୍ର ଦୟ ଏବେ କଟକ ଓ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି । ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁଇ ଖେଳାଳିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ବିଦ୍ୟାଳୟର ଉପଦେଷ୍ଟା ସୁବ୍ରତ କର, ରୂପାୟନର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ରାୟ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୁଇ ପୁରାତନ ଛତ୍ର ତଥା ଓଡ଼ିଶା ଦଳର ଖେଳାଳିଙ୍କ ସଫଳତା କାମନା କରିଥିଲେ । ସେମାନଙ୍କ ବିଜୟ କେବଳ ଏହି ବିଦ୍ୟାଳୟ ନୁହେଁ ବରଂ ବାଲେଶ୍ୱର ସମେତ ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଦୁଇ ଖୋଳାଳିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଦୁଇ ପୁରାତନ ଛାତ୍ର ବିଦ୍ୟାଳୟ ଜୀବନର ସ୍ମୃତିକୁ ମନେ ପକାଇବା ସହ ଟୁର୍ଣ୍ଣାମେଣ୍ଟରେ ନିଶ୍ଚିତ ଭଲ ଖେଳି ଅନୁଷ୍ଠାନର ନାମକୁ ଉଚ୍ଚକୁ ନେବେ ବୋଲି ଆଶା ପ୍ରକାଶ କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ଏହି ସମ୍ବର୍ଦ୍ଧନା ପର୍ବରେ ସଭାପତିତ୍ୱ କରିବା ସହ ଅନୁଷ୍ଠାନର ଶିକ୍ଷାଦାନ ଓ ଅନ୍ୟାନ୍ୟ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସମ୍ବର୍ଦ୍ଧନା ପର୍ବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ