ପାରଳାରେ ନାଗଚତୁର୍ଥି ଅବସରରେ ନାଗ ଦେବଦେବୀଙ୍କୁ ପୁଜାର୍ଚ୍ଚନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଜି ପବିତ୍ର ନାଗ ଚତୁର୍ଥି ଅଟେ । ଏହି ଦିନ ସର୍ପ ଦେବ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ପାରଳାଖେମୁଣ୍ଡି ସହରର ବିଭିନ୍ନ ଶିବାଳୟ ଓ ଅନ୍ୟ କେତେକ ଅଂଚଳରେ ସର୍ପବାସ କରୁଥିବା ଉଇହୁଙ୍କା ଗୁଡିକରେ ଆଜି ବିଭିନ୍ନ ଭାବେ ସାଜସଜା କରାଯାଇ ଅତ୍ୟନ୍ତ ଭକ୍ତିପୁତ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିନେଇ ଆଜି ସକାଳୁ ସକାଳୁ ବିଶେଷ କରି ମହିଳା ଭକ୍ତମାନେ ଏହି ଉଇହୁଙ୍କା ନିକଟରେ ପହଂଚି ସର୍ପଦେବଙ୍କୁ ଫୁଲ, ଚନ୍ଦନ, ଦୀପଧୂପ, ଆଦି ପ୍ରଦାନ କରି ସର୍ପଦେବଙ୍କ ଅତ୍ୟନ୍ତ ପ୍ରିୟ କ୍ଷୀର ଓ ଅଣ୍ଡାକୁ ଉଇହୁଙ୍କା ମଧ୍ୟରେ ପକାଇ ନଡିଆ ଭାଙ୍ଗି ଅତ୍ୟନ୍ତ ଭକ୍ତିପୁତ ଭାବେ ପୂଜାର୍ଚ୍ଚନା କରିଥାନ୍ତି । ଛୋଟ ପିଲାରୁ ବୁଢାବୁଢୀଙ୍କ ପ୍ରର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଶ୍ରେଣୀର ଲୋକେ ଏଠାରେ ପହଂଚି ପୂଜାର୍ଚ୍ଚନା କରିବା ସହ ବାଣ ଫୁଟାଇ ଆନନ୍ଦ ଆସର ଜମାଇ ଥାନ୍ତି । ଅନେକେ ଆଜି ଏଠାରେ ଭୋଜିଭାତ କରି ଦିନ କଟାଇଥାନ୍ତି । ବହୁ ପୁରାତନ କାଳରୁ ଆନ୍ଧ୍ର ସୀମାନ୍ତ ତଥା ଦକ୍ଷିଣ ଓଡିଶାରେ ଏହି ନାଗଚତୁର୍ଥୀରେ ନାଗ ଦେବଦେବୀଙ୍କୁ ଅତ୍ୟନ୍ତ ଭକ୍ତିପୁତ ଭାବେ ପୂଜାର୍ଚ୍ଚନା କରି ଏହି ଦିନ ଉତ୍ସବ ପାଳନ କରାଯାଏ । ବର୍ତ୍ତମାନ ସୁଦ୍ଧା ଏହି ରୀତି ଗଜପତି ଜିଲ୍ଲାରେ ଚାଲି ଆସୁଛି । ଲୋକେ ଅତ୍ୟନ୍ତ ଆନନ୍ଦ ଓ ଭକ୍ତିପୁତ ଭାବେ ଆଜି ପୂଜାର୍ଚ୍ଚନା କରୁଥିବା ଲକ୍ଷ କରାଯାଇଥିଲା ।


