ବିଜେପି ନଗର କମିଟି ପକ୍ଷରୁ ପୌରପାଳିକା ଘେରାଓ

ବାଲେଶ୍ୱର, (ସରୋଜ ପଣ୍ଡା) : କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଉଚିତ ନ୍ୟାୟ ପ୍ରଦାନ ଓ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପି ନଗର କମିଟି ପକ୍ଷରୁ ମଙ୍ଗଳବାର ବାଲେଶ୍ୱର ପୌରପାଳିକା ଘେରାଓ ହୋଇଯାଇଛି । ବିଜେପି ନଗର କମିଟି ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୧ଟାଏ ପର୍ଯ୍ୟନ୍ତ ଏହି ଘେରାଓ କାର୍ଯ୍ୟକ୍ରମ ଜାରି ରହିଥିବା ଲକ୍ଷ୍ୟ କରାଯାଇଥିଲା । ପୌରପାଳିକା ମୁଖ୍ୟ ଫାଟକ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତିଙ୍କ ସମେତ ପର୍ଶୁରାମ ପରିଡ଼ା, ରାଧାକୃଷ୍ଣ ଦାସ, ଯୋଗେନ ରଣା, ସନାତନ ବାରିକ, ପ୍ରଶାନ୍ତ ପରିଡ଼ା, ସିଦ୍ଧେଶ୍ୱର ବିନ୍ଧାଣୀ, ତରୁଣ ବର୍ଦ୍ଧନ, କମଳ ଲୋଚନ ଦାସ, ବିଭୂପଦ ଦାସ, ଆଶିଷ ଘୋଷ, ସୁଶାନ୍ତ ବେହେରା, ସୁସ୍ମିତା ପଣ୍ଡା, ସବିତା ପାଣିଗ୍ରାହୀ, ମହୁଆ ପ୍ରଧାନ, ରାଜେଶ ମହାପାତ୍ର, ପିଣ୍ଟୁ ପଣ୍ଡା ପ୍ରମୁଖ ଯୋଗଦେଇ ମମିତା ହତ୍ୟା ମାମଲାର ତଦନ୍ତଠାରୁ ଆରମ୍ଭ କରି ଅଭିଯୁକ୍ତଙ୍କ ଗିରଫ ପର୍ଯ୍ୟନ୍ତ ପୁଲିସର ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । ଏଭଳି ସ୍ପର୍ଶକାତର ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏହି ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ଗୃହ-ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର ପାଇଁ ବିଜେପିର କର୍ମକର୍ତ୍ତାମାନେ ଦାବି କରିଥିଲେ । ମମିତା ମେହେରଙ୍କ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାମାଜିକ ବାସନ୍ଦ ଜାରି ରଖିବ ବୋଲି ନଗର କମିଟି ସଭାପତି ଶ୍ରୀ ପଣ୍ଡା ଚେତାବନୀ ଦେଇଥିଲେ ।ଏହି ଅବସରରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ଗୃହ-ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ଦାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ