ବ୍ଲକ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରହିଥିବା ରାସ୍ତା ଅତି ଦୟନୀୟ ଅବସ୍ଥାରେ ରହିଛି । ଏହି ରାସ୍ତାକୁ କଂକ୍ରିଟ ରାସ୍ତା ନିର୍ମାଣ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ସୋମବାର ପଠାଇଛନ୍ତି । ଯଦି ଆସନ୍ତା ୨୨ ତାରିଖ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବା ବୋଲି ସଂଗଠନର ଜିଲ୍ଲା କମିଟି ସଦସ୍ୟ ନବକିଶୋର ମହାନ୍ତି ଦାବିପତ୍ରରେ ଦର୍ଶାଇଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ଅଭିଯୋଗ ମୁତାବକ ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଅତି ଦୟନୀୟ ଅବସ୍ଥାରେ ରହିଛି । ଏହି ରାସ୍ତାରେ କୌଣସି ଯାନବାହନ କିମ୍ବା ଲୋକମାନେ ଖାଲି ପାଦରେ ଚାଲି ଚାଲି ମଧ୍ୟ ସହଜରେ ଯାଇ ଆସି ପାରୁନାହାନ୍ତି । ଏହି ରାସ୍ତା ପାଶ୍ୱର୍ରେ ତହସିଲ କାର୍ଯ୍ୟାଳୟ ସହିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟ, ସେବା ସମବାୟ ସମିତିର ଧାନମଣ୍ଡି ସହିତ ଶିକ୍ଷାନୁଷ୍ଠାନ ଭାବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରହିଛି । ପ୍ରତ୍ୟହ ୧୬ଗୋଟି ପଂଚାୟତର ଶହ ଶହ ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ଉକ୍ତ ରାସ୍ତା ଦେଇ ଯାତାୟତ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ୭ ରୁ ୮ ବର୍ଷ ହେବ ଏହି ରାସ୍ତା ନିର୍ମାଣ ପାଇଁ ଆମ୍ଭମାନଙ୍କ ସହିତ ବହୁ ସାମାଜିକ ସଂଗଠନ ପକ୍ଷରୁ ବ୍ଲକ ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନକୁ ମୌଖିକ ଏବଂ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ବି ଫଳ ଶୂନ୍ । ଫଳରେ ବ୍ଲକ କାର୍ଯ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟକୁ ଯିବା ପାଇଁ ଉଭୟ ପଟର ରାସ୍ତା ବିଛିନ୍ନ ହୋଇପଡିଛି । ପ୍ରତ୍ୟହ ଅଧିକାରୀମାନେ ଉକ୍ତ ରାସ୍ତା ଦେଇ ଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଉକ୍ତ ରାସ୍ତାକୁ ତୁରନ୍ତ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି କରାଯାଉଛି । ଯଦି ଆସନ୍ତା ୨୨ ତାରିଖ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ କରା ନ ଯାଏ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବି ବୋଲି ନବ ନିର୍ମାଣ ସଂଗଠନ ପକ୍ଷରୁ ସଂଗଠନର ଜିଲ୍ଲା କମିଟି ସଦସ୍ୟ ନବକିଶୋର ମହାନ୍ତି ଲିଖିତ ଭାବେ ଦାବିପତ୍ରରେ ଜଣାଇଛନ୍ତି । ଏତଦ୍ ବ୍ୟତିତ ଉକ୍ତ ଦାବିପତ୍ରରେ ଅନ୍ୟ ୫ ଗୋଟି ଆନୁସଂଗିକ ଦାବି ରଖିଛନ୍ତି । ଉକ୍ତ ଦାବି ଗୁଡିକ କାଳିଆ ଯୋଜନାରେ ବ୍ୟବସ୍ଥିକରଣ କରାଯାଉ, ଅଦିନିଆ ଲଘୁଚାପଜନିତ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଅତିଶିଘ୍ର ଆଜଳନ କରି ତାହାର ସାର୍ବଜନିନ କରାଯାଉ, ଧାନମଣ୍ଡିରେ କରାଯାଉଥିବା କଟ୍ନି ଛଟ୍ନି ସମ୍ପୂର୍ଣ୍ଣ ଉଛେଦ କରାଯାଉ, ଏଫ.ଏ.କିୟୁ ସମ୍ବନ୍ଧରେ ଚାଷୀମାନଙ୍କୁ ଡେମୋ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉ ଏବଂ ପ୍ରାଣୀମାନଙ୍କୁ ଠିକ ସମୟରେ ଟିକାକରଣ ଓ ବିମା କରାଯାଉ ଭଳି ଦାବି ରହିଛି ।