ଅଭିନେତ୍ରୀ ପୂର୍ବରୁ ଯୋଗ ଶିଖାଉଥିଲେ ଅନୁଷ୍କା
ଫିଲ୍ମ “ବାହୁବଳୀ-୨’ ସୁପରହିଟ୍ ହେବା ପରେ “ଦେବସେନା’ ଅର୍ଥାତ୍ ଅନୁଷ୍କା ସେଟ୍ଟୀଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ହେଲେ ଫିଲ୍ମରେ ନାୟକ ସାଜିଥିବା ଅଭିନେତା ପ୍ରଭାସଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ବର୍ତ୍ତମାନ ଅନୁଷ୍କା ସାଉଥ୍ ସିନେମାରେ କାମ କରୁଛନ୍ତି । ଅନୁଷ୍କା ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା । ଅନୁଷ୍କାଙ୍କ ପ୍ରକୃତ ନାମ ସ୍ୱିଟି ସେଟ୍ଟୀ । ୨୦୦୫ରେ ମୁକ୍ତିଲାଭ କରିଥିବା ଫିଲ୍ମ “ସୁପର’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଅଭିନୟ ପୂର୍ବରୁ ଅନୁଷ୍କା ପିଲାମାନଙ୍କୁ ଯୋଗ ଶିଖାଉଥିଲେ । ତାଙ୍କ ସୌନ୍ଦର୍ଯ୍ୟକୁ ଦେଖି ଏକଦା ଜଣେ ନିର୍ଦ୍ଦେଶକ ତାଙ୍କୁ ନିଜ ସିନେମାରେ ଅଫର ଦେଇଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଗୋଟିଏ ପରେ ଗୋଟିଏ ସଫଳ ସିନେମାରେ କାମ କରି ସେ ଏବେ ଜଣେ ଆଗଧାଡ଼ିର ଅଭିନେତ୍ରୀ ପାଲଟିଛନ୍ତି । ଅନୁଷ୍କାଙ୍କ ସଫଳ ସିନେମା “ସାଇଜ୍ ଜିରୋ’ ମଧ୍ୟରେ ଅନ୍ୟତମ । ଏଥିପାଇଁ ସେ ୨୦ କିଲା ଓଜନ ବଢ଼ାଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ସଫଳତା ପାଇଥିବା ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ । ୨୦୧୦ରେ ସେ ତାମିଲ ଫିଲ୍ମ “ସିଂଘମ’ରେ କାମ କରିଥିଲେ । ପରେ ସେ “ସିଂଘମ୍ -୨’, “ବିଲ୍ଲା’ ଆଦି ଅନେକ ସିନେମାରେ କାମ କରିଛନ୍ତି । “ବିଲ୍ଲା’ରେ ଅନୁଷ୍କାଙ୍କ ବିପକ୍ଷରେ ପ୍ରଭାସ ଅଭିନେତା ସାଜିଥିଲେ । ଫିଲ୍ମର ଶୁଟିଂ ସମୟରେ ସେମାନେ ପରସ୍ପରର ନିକଟତର ହୋଇଥିଲେ ବୋଲି ଚର୍ଚ୍ଚା ଜାର୍ ଧରିଥିଲା ।


