ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ତାଲିମ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମୀଣ ଅତ୍ମନିଯୁକ୍ତି ତାଲିମ ଅନୁଷ୍ଠାନର ସଭାଗୃହରେ ମିଶନଶକ୍ତି-ବ୍ୟାଙ୍କ ସଖୀ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ରୂପେ ଗଜପତି ଏଲ୍ଡିଏମ୍ କିଶୋରଚନ୍ଦ୍ର ନାଇକ, ଆର୍ସେଟିର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତଥିଲେ । ମୁଖ୍ୟ ଅତିଥି ଏହି ଶିବରରେ ଯୋଗଦେଇଥିବା ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବ୍ୟାଙ୍କ ସଖୀ ନିମନ୍ତେ ଆବଶ୍ୟକୀୟ ଉପକରଣ ଯଥା ମିନି ପ୍ରିଣ୍ଟର, ମିନି ଏଟିଏମ୍ ମେସିନ, ଫିଙ୍ଗର ସ୍କାନର ଆଦି ପ୍ରଦାନ କରିଥିଲେ । ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମିଶନ ଶକ୍ତି-ବ୍ୟାଙ୍କ ସଖୀ ରୂପେ କିଭଳି ଲାଭବାନ ହୋଇପାରିବେ ତାହା ବୁଝାଇ କହିଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ ମିଶନ ଶକ୍ତି ବିଭାଗର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହିତ ବ୍ୟାଙ୍କିଂ ସେବା କିଭଳି ବ୍ୟାଙ୍କ ବିହୀନ ପଞ୍ଚାୟତ ମାନଙ୍କରେ ପହଞ୍ଚିପାରିବ ସେହି ବିଷୟରେ ନବ ନିଯୁକ୍ତ ବ୍ୟାଙ୍କ ସଖୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୭ଗୋଟି ବ୍ଲକର ୬୬ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ବ୍ୟାଙ୍କ ସଖୀ ରୂପେ ନିଯୁକ୍ତି ଦିଆଯାଇ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମନସ୍ମିତା ପାତ୍ର ଯୋଗଦେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


