ମମିତା ହତ୍ୟାକାଣ୍ଡରେ ବିଜେପିର ଅଭିନବ ନ୍ୟାୟ ପ୍ରଦାନ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) :କଳାହାଣ୍ଡି ଜିଲାର ଶିକ୍ଷୟିତ୍ରୀ ମମିତା ମହାପାତ୍ର ହତ୍ୟା ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଏବଂ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଜେପି ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସମଗ୍ର ରାଜ୍ୟରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପ୍ରଦାନ କରାଯାଉଥିବା ବେଳେ ବାଲେଶ୍ୱରରେ ବି ଅନୁରୂପ କାର୍ଯ୍ୟକ୍ରମ ଲକ୍ଷ୍ୟ କରାଯାଇଛି । ଜିଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କ ସମେତ ବିଜେପି ମହିଳା ମୋର୍ଚ୍ଚା, ଯୁବମୋର୍ଚ୍ଚା, କୃଷକ ମୋର୍ଚ୍ଚା, ସଂଖ୍ୟାଳଘୁ ମୋର୍ଚ୍ଚା ପ୍ରଭୃତି ଶାଖାର କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲା ମୁଖ୍ୟ ଡାକଘରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଠିକଣାରେ ଚିଠି ପଠାଇଥିଲେ । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଚିତ୍ତରଞ୍ଜନ ପଣ୍ଡା, ପର୍ଶୁରାମ ପରିଡ଼ା, ମନୀଶା ବେହେରା, ସୁଷମା ବିଶ୍ୱାଳ, ସସ୍ମିତା ପଣ୍ଡା, ସୁକାନ୍ତି ଦେବଗୋସ୍ୱାମୀ, ପିଙ୍କି ପ୍ରଧାନ, ସଂଯୁକ୍ତା ମହାପାତ୍ର, ରେଣୁ ବିଶ୍ୱାଳ ପ୍ରମୁଖ ଏଥିରେ ଉପସ୍ଥିତ ରହି ଡାକବାକ୍ସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପକାଇଥିଲେ । ମମିତା ମେହେର ହତ୍ୟା ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ବାରମ୍ବାର ଆନ୍ଦୋଳନ କରିବା ପରେ ବି ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ଅଭିଯୁକ୍ତକୁ ଘଣ୍ଟଣ୍ଟଘୋଡ଼ାଇବାକୁ ଉଦ୍ୟମ କରିଥିବା ବିଜେପି କର୍ମକର୍ତ୍ତାମାନେ ଆରୋପ କରିଥିଲେ । ରାଜ୍ୟର ନାରୀ ସୁରକ୍ଷା ନେଇ ଡିଣ୍ଡିମ ପିଟୁଥିବା ତଥା ସର୍ବଦା କାଚଘରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେମାନେ କହିଥିଲେ । ଜିଲା ବିଜେପି କର୍ମୀ ଏଥିରେ ଉପସ୍ଥିତ ଥିଲେ । ।