ସ୍କୁଲ କର୍ତ୍ତୃପକ୍ଷଙ୍କ ବିବାଦରୁ ବଳିପଡିଲେ କର୍ମଚାରୀ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ସ୍କୁଲ ପାଇଁ ନିଜ ଜୀବନର ଅର୍ଦ୍ଧାଧିକ ସମୟ ବିନିଯୋଗ କରିଥିବା ଜଣେ କର୍ମଚାରୀଙ୍କୁ ଏବେ କର୍ତ୍ତୃପକ୍ଷ ବାହାର କରିଦେଇଛନ୍ତି । ଜୀବନ ଜୀବିକା ହରାଇ ବାର୍ଦ୍ଧକ୍ୟ ରେ କର୍ମଚାରୀ ଜଣକ ଏବେ ନିଶହାୟ ହୋଇପଡିଛନ୍ତି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ନିରାକାର ଜେନା ଦୀର୍ଘ ୨୭ବର୍ଷ ହେବ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ଯଦିଓ ସେ ସରକାରୀ ଭାବେ ସ୍ୱୀକୃତି ପ୍ରାପ୍ତ ହୋଇନଥିଲେ କିନ୍ତୁ ବିଦ୍ୟାଳୟର ଆଭ୍ୟନ୍ତରୀଣ ନୀତିନିୟମ ଅନୁସାରେ ତାଙ୍କୁ କର୍ମଚାରୀ ମାନ୍ୟତା ମିଳିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ୧୯୯୩ ମସିହାରେ ନିରାକାର ଜଙ୍ଗଲ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବିଦ୍ୟାଳୟ ବଗିଚା ଯୋଜନାରେ ନିଯୁକ୍ତି ପାଇ ଫୁଲ ସହିତ ଅନ୍ୟାନ୍ୟ ବୃକ୍ଷର ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିଲେ । ଏଥିରେ ତାଙ୍କୁ ବ୍ଲକ ପକ୍ଷରୁ ପାରିଶ୍ରମିକ ମିଳୁଥିଲା । ପ୍ରାୟ ଦୁଇ ବର୍ଷ ଯୋଜନା ଚାଲିବା ପରେ ହଠାତ ଏହା ବନ୍ଦ ହୋଇଯାଇଥିଲା । ପରେ ୧୯୯୫ ମସିହାରେ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ନିରାକାର ଜେନାଙ୍କୁ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଯଦିଓ ସେତେବେଳେ ୩ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ନିରାକାର ଅତ୍ୟନ୍ତ ବିଶ୍ୱସ୍ଥ ଓ ନିଷ୍ଠାପର ସେବା ପ୍ରଦାନକାରୀ ହୋଇଥିବାରୁ ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅସ୍ଥାୟୀ ଭାବେ ଥଇଥାନ କରିଥିଲେ । ସେବେଠାରୁ ସେ ବିଦ୍ୟାଳୟର ସମସ୍ତ କାର୍ଯ୍ୟକୁ ଜଣେ ନିୟମିତ କର୍ମଚାରୀ ଭାବେ କରୁଥିବା ବେଳେ ତାଙ୍କୁ କିନ୍ତୁ ମୌଖିକ ଭାବେ ସ୍କୁଲ କର୍ତ୍ତୃପକ୍ଷ କିଛି ପାରିଶ୍ରମିକ ଦେଉଥିଲେ । ଏହାଛଡା ଗୁରୁତ୍ୱପୂର୍ଣ୍ଣ ମାଟ୍ରିକ ପରୀକ୍ଷା ବେଳେ ନିରାକାରଙ୍କ ଦାୟିତ୍ୱ ମଧ୍ୟ ଦ୍ୱିଗୁଣିତ ହୋଇଯାଉଥିଲା । ସ୍ୱଳ୍ପ ବେତନ ପାଉଥିଲେ ସୁଦ୍ଧା ସ୍କୁଲ ପ୍ରତି ତାଙ୍କର ସମର୍ପିତ ସେବା ମନବୃତ୍ତି ଯୋଗୁ କେବେବି କର୍ତ୍ତୃପକ୍ଷଙ୍କୁ ଅଧିକ ବେତନ ପାଇଁ ଦାବି କରିନାହାନ୍ତି । ଏତେସବୁ ପରେ କେଉଁଦିନ ସେ ସରକାରୀ ଭାବେ ସ୍ଥାୟୀ ହେବେ ବୋଲି ଆଶା ରଖିଥିବା ବେଳେ ତାଙ୍କ ସ୍କୁଲ କର୍ତ୍ତୃପକ୍ଷ ଏବେ କାର୍ଯ୍ୟରୁ ନିବୃତ୍ତ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୨୦୨୧ମସିହାରେ ପ୍ରଧାନଶିକ୍ଷକ ରମାକାନ୍ତ ଲେଙ୍କାଙ୍କ ଅବସର ପରେ ବିଦ୍ୟାଳୟର ଗୁମର କଥାକୁ ନେଇ କିଛି ବିବାଦ ଦେଖା ଦେଇଥିଲା । ଏପରିକି ଶ୍ରୀ ଲେଙ୍କା ଓ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା । କଥା ଯାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ପହଞ୍ଚିଥିଲା । ଫଳରେ ବଳି ପଡ଼ିଥିଲେ ଅସ୍ଥାୟୀ କର୍ମଚାରୀ ନିରାକାର ଜେନା । ତାଙ୍କୁ ଆକ୍ରୋଶ ମୂଳକ ଭାବେ ବିଦ୍ୟାଳୟରୁ ବାହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ବିଗତ ୭/୮ମାସ ହେବ ସେ ଘରେ ବସିଥିବା ବେଳେ ଘଟଣାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କେହି ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି । ଏ ବାବଦରେ ଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ମୁହଁ ଖୋଲୁ ନାହାନ୍ତି । ପରିଶେଷରେ ୨୭ବର୍ଷ ସେବା ଦେଇ ଚାକିରୀରୁ ବଂଚିତ ହୋଇଥିବା ନିରାକାର ଆଗାମୀ ଦିନରେ ପରିବାର ସଦସ୍ୟଙ୍କୁ ନେଇ ସ୍କୁଲ ଆଗରେ ଧାରଣା ଦେବେ ବୋଲି କୋହଭରା କଣ୍ଠରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ