ଉଚ୍ଚ କଳନ୍ତର ମୂଳ ନାଶ : ଟଙ୍କା ନପାଇବାରୁ ଅଫିସ୍ ରେ ପଶି ଭଙ୍ଗାରୁଜା କଲେ ଗ୍ରାହକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :- ଲୋକେ ଚିଟ୍ ଫଣ୍ଡ୍ ଭଳି ସଂସ୍ଥା ଦ୍ୱାରା ଅନେକ ଥର ଠକାମିର ଶିକାର ହେଲେ ମଧ୍ୟ କମ୍ ଦିନରେ ଅଧିକ ଟଙ୍କା ସୁଧ ପାଇବାର ଲୋଭକୁ ଛାଡ଼ି ପାରୁନାହାନ୍ତି I ଫଳରେ ଉଚ୍ଚ କଳନ୍ତର ତ ଦୂରର କଥା, ମୂଳ ମଧ୍ୟ ହାତରୁ ଖସି ଯାଉଛି I ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଅଞ୍ଚଳରେ I ଲୋକେ ନିଜର ଟଙ୍କା ନପାଇ ସମ୍ପୃକ୍ତ କମ୍ପାନୀ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି I ସୂଚନା ପ୍ରକାରେ ପ୍ରାୟ ଏକ ବର୍ଷ ହେବ ବୁଗୁଡ଼ା ବ୍ଳକ୍ ଏ. କରଡାବାଡ଼ି ପଞ୍ଚାୟତ ସୋରଡ ଗ୍ରାମର ଭିକି ବିଷୋୟୀ ନାମକ ଜଣେ ବ୍ୟକ୍ତି ମାଲେସିଆରେ ରହି କାମ କରୁଥିବା ବେଳେ ସେ ଭଞ୍ଜନଗର ହାଇସ୍କୁଲ ଛକ ଠାରେ ଥିବା ୟୁକୋ ବ୍ୟାଙ୍କ୍ ଉପର ମହଲାରେ କୀନି ଇନ୍ଫୋଟେକ୍ ନାମରେ ଏକ ସଂସ୍ଥା ଖୋଲିଥିଲେ I ଏହାର କାମ ଥିଲା ଡାଟା ଏଣ୍ଟ୍ରି କରିବା ଏବଂ ଶିକ୍ଷିତ ଯୁବକ ଯୁବତୀଙ୍କୁ ମାସକୁ 15 ରୁ 20 ହଜାର ଟଙ୍କା ଦରମା ଦେବା I ପରବର୍ତ୍ତୀ ସମୟରେ ଏହା କୀନି ଇନ୍ଫ୍ରାଷ୍ଟ୍ରକ୍ଚର ଏବଂ କୀନି ଟେକ୍ସଟାଇଲ୍ ଖୋଲିବା ପାଇଁ କିଛି ଜମି କିଣି ଶୁଭ ଦେବା ସହ ଏଠାରେ ନିର୍ମିତ କମ୍ପାନୀର ଲାଭାଂଶ ଗ୍ରାହକଙ୍କୁ ଦିଆଯିବ ବୋଲି ବାର୍ତ୍ତା ଦେଇ କମ୍ପାନୀ ଲୋକଙ୍କ ଠାରୁ ସାଦା କାଗଜରେ ପଇସା ଉଠାଇବା ଆରମ୍ଭ କଲା I ସେହି ପଇସା ପାଇଁ ଲୋକଙ୍କୁ ଏତେ ସୁଧର ଆଶା ଦେଲା ଯେ ପୃଥିବୀରେ ଏତେ ଆକର୍ଷଣୀୟ ସୁଧା କିଏ କାହାକୁ ଦେଇନଥିବ I ଏହି ସଂସ୍ଥା ପ୍ରଥମେ ପ୍ରଥମେ ଆଖି ଖୋସି ହୋଇଗଲା ଭଳି ସୁଧ ଦେଉଥିଲା ଗ୍ରାହକଙ୍କୁ I ଏହି ସଂସ୍ଥା ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଦୁଇ ତିନୋଟି ବଣ୍ଡ୍ ବଜାରକୁ ଛାଡ଼ିବା ସହ 15 ହଜାର ଟଙ୍କା ଦେଇ କିଣା ଯାଇଥିବା ବଣ୍ଡ୍ ପାଇଁ 34 ଦିନରେ 24 ହଜାର ଟଙ୍କା ଗ୍ରାହକଙ୍କୁ ଫେରସ୍ତ କରୁଥିଲା I ଏହାର ପରବର୍ତ୍ତୀ ସମୟରେ ଦୁଇ ତିନି ମାସ ଗ୍ରାହକଙ୍କୁ ଟଙ୍କା ଫେରସ୍ତ ମିଳିବା ପରେ ବହୁ ବେକାର ଯୁବକ ଯୁବତୀ ଏହି ସଂସ୍ଥା ପ୍ରତି ଆକୃଷ୍ଟ ହୋଇ ସଂସ୍ଥାରେ ଯୋଗ ଦେଇଥିଲେ I ବର୍ତ୍ତମାନ ମାଇକ୍ରୋଫାଇନାନ୍ସ , ସାହାରା ଇଣ୍ଡିଆ, ଗୋଲଡେନ୍ ଫରେଷ୍ଟ ଭଳି ବହୁ ଚିଟ୍ ଫଣ୍ଡ ସଂସ୍ଥା ନିଷ୍କ୍ରିୟ ହୋଇ ପଡ଼ିଥିବା ବେଳେ ଲୋକେ ଏହି ଭଳି ଏକ ସଂସ୍ଥାର ସୁ୍ଯୋଗରେ ଥିଲେ I ଏହି ସଂସ୍ଥାରେ ଲୋକେ ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଟଙ୍କା ବାନ୍ଧି ଏକ ଲକ୍ଷ ଟଙ୍କା ପ୍ରତି 34 ଦିନରେ 54 ହଜାର ଟଙ୍କା ସୁଧ ପାଇଥିଲେ I ଏହା ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଭଞ୍ଜନଗର ଉପଖଣ୍ଡର ବେଲଗୁଣ୍ଠା, ବୁଗୁଡ଼ା, ସୋରଡ଼ା, ଜଗନ୍ନାଥପ୍ରସାଦ, ଶେରଗଡ଼, ଧରାକୋଟ, ଆସ୍କା ଏବଂ କବିସୂର୍ଯ୍ୟନଗର ବ୍ଳକ୍ ରୁ ଲୋକେ ପ୍ରତିଦିନ କୋଟି କୋଟି ଟଙ୍କା ଏହି ସଂସ୍ଥାରେ ଜମା କରିବା ପାଇଁ ସୁଅ ଛୁଟିଲେ ଖାସ କରି ବେଲଗୁଣ୍ଠା ବ୍ଲକ ର ଗୋବରା, ଶାଢଙ୍ଗୀପୋଲି, ଖେତ୍ରିୟବରପୁର, ନାଟଙ୍ଗା, ମଙ୍ଗଳପୁର ଆମ୍ବପୁଆ ବେଣୀପୋଲି ଓ ବେଲଗୁଣ୍ଠା ସହରରୁ କୋଟିକୋଟି ଟଙ୍କା ଉଠlଇଛି ଏହି ସଂସ୍ଥା I ଏହି ସଂସ୍ଥା ପୋଲିସ୍ ଏବଂ ପ୍ରଶାସନର ନାକ ତଳେ ଥିଲେ ମଧ୍ୟ ଏହା ଉପରେ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା I ଫଳରେ ଲୋକେ ଏହି ସଂସ୍ଥା ଉପରେ ବିଶ୍ୱାସ କରି ଲୋକେ ଘର, ଜମି, ଅଳଙ୍କାର ଇତ୍ୟାଦି ବନ୍ଧା ପକାଇ ଟଙ୍କା ଆଣି ସଂସ୍ଥାରେ ଜମା କରିଥିଲେ I କିଛି ଗ୍ରାହକଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ବର୍ତ୍ତମାନ ଟଙ୍କା ଫେରସ୍ତ କରିବାରେ ଏହି ସଂସ୍ଥା ଅକ୍ଷମ ହୋଇପଡିଛି I ଯାହାଦ୍ୱାରା କିଛି ଗ୍ରାହକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବା ସହ ଆଜି ସଂସ୍ଥାକୁ ଯାଇ ଭଙ୍ଗାରୁଜା କରିଥିବା ଜଣା ପଡ଼ିଛି I ଏନେଇ ପୋଲିସ୍ ପ୍ରଶାସନ ତତ୍ପରତା ଦେଖାଇବା ସହ ଏହି ସଂସ୍ଥାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରି ଗ୍ରାହକଙ୍କୁ ଫେରାଇବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି I ଅନ୍ୟ ପଟରେ କୌଣସି ସଂସ୍ଥାର ଟଙ୍କା ନେଣଦେଣ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଇଡ଼ିର ଅନୁମତି ଆବଶ୍ୟକ ହେବା ସହ ରିଜର୍ଭ ବ୍ୟାଙ୍କର ନିୟମ ବାହାରେ କୌଣସି ସଂସ୍ଥା ଉଚ୍ଚ ସୁଧ ଦେବାର ନିୟମ ନଥିବା ବେଳେ ଏହି ସଂସ୍ଥା କିପରି ଏବଂ କାହା ଇଙ୍ଗିତରେ ଭଞ୍ଜନଗର ଭଳି ସହରରେ ନିଜର କାୟା ମେଲାଇଥିଲା ତାହା ତଦନ୍ତ ସାପେକ୍ଷ ହୋଇପଡିଛି I ଏହା ପଛରେ ଥିବା ରହସ୍ୟର ଉନ୍ମୋଚନ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ