ସଡ଼କ ଦୁର୍ଘଟଣାରେ ୨ ମୃତ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହର ଓ ସହର ଉପକଣ୍ଠ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ବୁଧବାର ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ହଳଦୀପଦା ଥାନା ଅନ୍ତର୍ଗତ ଆମ୍ବାପୂଜା ବ୍ରାହ୍ମଣ ଶାସନର ଯୋଗେଶ ଦାସ (୪୧) ପତ୍ନୀ ମଞ୍ଜୁଲତା ଦାସ, ଶିଶୁ ପୁତ୍ର ରୁଦ୍ରନାରାୟଣ ଏକ ବାଇକରେ ଫୁଲାଡ଼ିରୁ ପୂର୍ବାହ୍ନରେ ଘରକୁ ଫେରୁଥିଲେ । ତେବେ ସମ୍ପର୍କୀୟ ଟୁକୁନା ଦାସ(୨୨) ବାଇକ ଚଳାଉଥିବା ବେଳେ ତାଙ୍କ ପଛକୁ ଯୋଗେଶ ଓ ରୁଦ୍ର ଏବଂ ଶେଷରେ ମଞ୍ଜୁଲତା ବସିଥିଲେ । ଟୁକୁନା ବାଇକ ଚଳାଇ ୬୦ ନଂ ଜାତୀୟ ରାଜପଥର ଫୁଲାଡ଼ିଛକ ନିକଟ ପେଟ୍ରୋଲ ପମ୍ପ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସମ୍ମୁଖରୁ ଆସୁଥିବା ଏକ ଟ୍ରକ ସହ ଆସନ୍ନ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଟୁକୁନା ଚେଷ୍ଟା କରୁଥିବା ବେଳେ ରାସ୍ତାରେ ଯାଉଥିବା ଅନ୍ୟଏକ ଟ୍ରକର ହୁକରେ ଟାଣିହୋଇ ଯୋଗେଶ ତଳେ ପଡ଼ି ଟ୍ରକର ଚକ ତଳକୁ ଚାଲିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବି ଡାକ୍ତର ଯୋଗେଶଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଯୋଗେଶ ଟ୍ରକରେ ଟାଣି ହୋଇଯିବା ସମୟରେ ବାଇକଟି ତଳେ ପଡ଼ିଯାଇଥିଲା । ଏଥିରେ ଟୁକୁନା ଓ ମଞ୍ଜୁଲତାଙ୍କ ସମେତ ଶିଶୁପୁତ୍ର ରୁଦ୍ର ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବାଇକ ଓ ଟ୍ରକକୁ ଅଟକ ରଖି ତଦନ୍ତ ଜାରି ରଖିଛି । ସେହିଭଳି ସହରର ବୈରାମନଗର ରାସ୍ତାରେ ଅନ୍ୟଏକ ଦୁର୍ଘଟଣାରେ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ମୃତ ମହିଳା ଜଣକ ହେଲେ ସଦର ବ୍ଳକ ଅନ୍ତର୍ଗତ ପରିଖି ପଞ୍ଚାୟତର ନନ୍ଦସର ଗ୍ରାମ ସହଦେବ ସେନାପତିଙ୍କ ପତ୍ନୀ ବାସନ୍ତି ସେନାପତି (୫୫) । ଉଭୟ ପତି-ପତ୍ନୀ ମାକଲପୁର ଠାରେ ଡାକ୍ତରଙ୍କୁ ଦେଖାଇ ଚାଲିଚାଲି ବୈରାମନଗର ଫେରୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ବାସନ୍ତିଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ ତଳେ ପଡ଼ିଯାଇଥିବା ବେଳେ ଟ୍ରକର ଚକ ତାଙ୍କ ଉପରେ ଚାଲିଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବି ଡାକ୍ତର ବାସନ୍ତିଙ୍କୁ ମୃତ ଘୋଷଣା କରିଥିଲେ ।