ଯାନବାହନ ଚଳାଚଳ ନେଇ ପ୍ରଶାସନ ପକ୍ଷରୁ କଟକଣା ଲାଗୁ
ବାଲେଶ୍ୱର, (ସରୋଜ ପଣ୍ଡା) :ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ ଜାମ ହ୍ରାସ ପାଇଁ ବାଲେଶ୍ୱର ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରୀଯାନ ଚଳାଚଳ ନେଇ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି । ଆଇଟଆଇ. ଛକରୁ ଭାୟା ବାଲେଶ୍ୱର ବସ୍ଷ୍ଟାଣ୍ଡ, ଏଫଏମ୍ ଗୋଲେଇ ଦେଇ ସୂରଜ ହୋଟେଲ ଛକ, ପୁଲିସ ଲାଇନ ଛକରୁ ଭାୟା ଏଫଏମ କଲେଜ ଦେଇ ହେମକାପଦା ଛକ, ଫକୀରମୋହନ ଗୋଲେଇରୁ ଭାୟା ଫାଣ୍ଡି ଛକ, ଚିଡିଆପୋଲ, ସଦର ମହକୁମା ଡାକ୍ତରଖାନା, ସିନେମା ଛକ ଏବଂ ମୋତିଗଞ୍ଜ ବଜାର ଦେଇ ଟାଉନ ଥାନା, ଷ୍ଟେସନ ଛକରୁ ଭାୟା ଏଡିଏମ ଛକ, ଜିଲ୍ଲା ସ୍କୁଲ ଦେଇ ପାଣି ଟାଙ୍କି ଛକ, ମିର୍ଜାପୋଖରୀ ଛକରୁ ଭାୟା ମାଣିଖମ୍ବ ଏବଂ ବାରବାଟୀ ଦେଇ ବୁଢା କାର୍ତିକ ଛକ, ମିର୍ଜାପୋଖରୀରୁ ଭାୟା ଟାଉନହଲ ଏବଂ ସିନେମା ଛକ ଦେଇ ବେବିଲୋନ ଛକ, ଟେକନିକାଲ ସ୍କୁଲ ଛକରୁ ଭାୟା ଏଡିଏମ ଛକ, ରାଜାବଗିଚା ଦେଇ ନାରୀସଂଘ,ଷ୍ଟେସନ ଛକରୁ ଭାୟା ନାରୀସଂଘ ଦେଇ ପଢୁଆଁପଦା ଛକ, ହରିପୁର ଛକରୁ ଭାୟା ଗଳାପୋଲ, ଦରଜୀପୋଖରୀ, ଚୂନଭାଟି ଦେଇ ମିର୍ଜାପୋଖରୀ ଛକ ପର୍ଯ୍ୟନ୍ତ ରାସ୍ତାଗୁଡିକରେ ସକାଳ ୮ଟା ୩୦ମିନିଟରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ସେହିଭଳି ହରିପୁର ପାଶ୍ୱର୍ରୁ ଆସୁଥିବା କେବଳ ଟ୍ରାକ୍ଟର, ମିନିଟ୍ରକ ଗୁଡିକୁ ଆନନ୍ଦ ବଜାର, ମାଲଗୋଦାମ, ଭାସ୍କରଗଞ୍ଜ ଛକ, ତେଲେଙ୍ଗା ସାହି ଛକ, ପୋଲିସ ଲାଇନ ଛକ ଦେଇ ଆଇଟିଆଇ ଛକ ଅଭିମୁଖେ ଯିବା ଓ ସେହି ସମାନ ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯାଇଛି । ଅନୁରୂପ ଭାବେ ଚାନ୍ଦିପୁର ଅଂଚଳରେ ସମୁଦ୍ର ବେଳାଭୂମିରେ ଗାଡ଼ି ଚାଳନା ଯୋଗୁଁ ଘଟୁଥିବା ଅଘଟଣକୁ କମାଇବା ପାଇଁ ସୋନାପୁର ଛକରୁ ଆରମ୍ଭ କରି ଚାନ୍ଦିପୁର ପାନ୍ଥନିବାସ ପର୍ଯ୍ୟନ୍ତ ଯାନ ଚାଳନା ନିଷେଧ ସହ ସମସ୍ତ ପ୍ରକାର ଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଅନୁରୂପ ଭାବେ ଯାନବାହାନ ଚଳାଚଳ ପାଇଁ ଉଦ୍ଦିଷ୍ଟ ନ ଥିବା ତାଳସାରୀ ବେଳାଭୂମି ଅଂଚଳରେ ମଧ୍ୟ ସମସ୍ତ ପ୍ରକାର ଯାନ ଚଳାଚଳ ଉପରେ କଟକଣା ଲାଗିଛି । ବାଲେଶ୍ୱର ସହରର ଫାଣ୍ଡିଛକ(ସହଦେବଖୁଣ୍ଟା ଥାନା)ରୁ ଆରମ୍ଭ କରି ଚିଡ଼ିଆପୋଲ ପର୍ଯ୍ୟନ୍ତ ମୁଖ୍ୟ ପରିବହନ ରାସ୍ତାରେ ଅବାଧ ଗାଡି ଚଳାଚଳ ପାଇଁ ଦୁଇ ଚକିଆ ଯାନ ବ୍ୟତୀତ ସମସ୍ତ ପ୍ରକାର ଯାନର ବେଆଇନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି । ଏ ସମସ୍ତ ଯାନ ମିଶନ ପଡିଆରେ ପାର୍କିଂ କରିବାକୁ କୁହାଯାଇଛି । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଅନୁମୋଦିତ ଆଦେଶନାମା ଅନୁଯାୟୀ ତା୧୭.୧.୨୦୨୨ରିଖରୁ ତା୧୫.୨.୨୦୨୨ରିଖ ପର୍ଯ୍ୟନ୍ତ ୩୦ଦିନ ପାଇଁ ଏହି ସମସ୍ତ କଟକଣା ବଳବତ୍ତର ରହିବ ।