କଳା ସଂସ୍କୃତିର ବାର୍ତ୍ତାବହ ବଡକୋଦଣ୍ଡା ର ଡେରାବେଶ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଭଞ୍ଜନଗର ସହର ଠାରୁ ପାଞ୍ଚ କିଲୋମିଟର ଦୂର ବଡକୋଦଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ପୃଥିବୀ ପ୍ରସିଦ୍ଧ ଡେରାବେଶ । ଗାଁ ବଡଦାଣ୍ଡ ସାହିରେ ଦେଖିବାକୁ ମିଳିଥିଲା ବିଭିନ୍ନ ପ୍ରକାର କାଠ ନିର୍ମିତ୍ତ ମୂର୍ତ୍ତି ଯାହାକି କଳା,କାରିଗରୀ ଓ ହସ୍ତ ଶିଳ୍ପ ର ଅନନ୍ୟ ପରିଚାୟକ । ବାଘ,ଘୋଡା,ହାତୀ,ନବଗୁନଞ୍ଜର,ସିଂହ,ହରିଣ,ଛେଳି,ଚଇତି ଘୋଡା,ରାଜା,ରାଣୀ,ସାପୁଆ,କେଳା,ମୟୁର, ଆଦି ଭଳି ଭଳିକା ମୁର୍ତ୍ତି ଗାଁର ଶୋଭା ବର୍ଦ୍ଧନ କରିଥିଲେ । ଏତଦ୍ ବ୍ୟତୀତ ଶ୍ରୀରାମ, ଲକ୍ଷଣ, ହନୁମାନ ,ରାବଣ ,କୁମ୍ଭକର୍ଣ୍ଣ ଆଦି ଙ୍କ କାଷ୍ଠରେ ନିର୍ମିତ ସୁଉଚ୍ଚ ବିଶାଳ ମୂର୍ତ୍ତି ଗୁଡିକ ଗାଁରେ ଏକ ନାଟକୀୟ ପରିବେଶ ସୃଷ୍ଟି କରିଥିଲା । ଏହି ମୂର୍ତ୍ତି ଗୁଡିକୁ କାଠର ଶଗଡ ଉପରେ ଆଗ କାଳେ ଡେରି ରଖାଯାଉଥିବାରୁ ଏହି ପରମ୍ପାରାଟି ଡେରା ବେଶ ନାମରେ ନାମିତ । ଅଧୁନା ଆଉ ଶଗଡର ପ୍ରଚଳନ ବେଶି ହେଉନଥିବାରୁ ଏହି ମୂର୍ତ୍ତି ଗୁଡିକୁ ଭୂମି ଉପରେ କାଠରେ ତିଆରି ଷ୍ଟାଣ୍ଡ ସହାୟତାରେ ଡେରି ରଖାଯାଉଛି ାଏହି ବେଶ ଦେଖିବା ପାଇଁ ଦୂର ଦୂରାନ୍ତରୁ ଜନ ସମାଗମ ହୋଇଥାଏ । ମନ୍ଦିର ମାଳିନୀ ଗାଁ ରୂପେ ମଧ୍ୟ ବଡକୋଦଣ୍ଡା ର ସୁନାମ ରହିଛି ା ଗାଁ ର ବଡଦାଣ୍ଡ ର ଉଭୟ ପାର୍ଶ୍ବରେ ରହିଛି ଜଗନ୍ନାଥ ସ୍ବାମୀ ଓ ଗୋପୀନାଥ ସ୍ବାମୀ ଙ୍କ ମନ୍ଦିର ଯାହାକି ସୁନ୍ଦର ମନ୍ଦିର ନିର୍ମାଣ କଳା ପାଇଁ ବିଖ୍ୟାତ ାଏଦତ୍ ବ୍ୟତୀତ ରଘୁନାଥ ମନ୍ଦିର,ଯଜ୍ଞ ନାରାୟଣ ମନ୍ଦିର, ବିରୁପାକ୍ଷ ସ୍ବାମୀଙ୍କ ମନ୍ଦିର, ତ୍ରିନାଥ ମନ୍ଦିର, ସନ୍ତୋଷୀ ମା ଙ୍କ ମନ୍ଦିର, ମା ଠାକୁରାଣୀଙ୍କ ମନ୍ଦିର, ଶ୍ରୀ ଗଣେଶ ମନ୍ଦିର,ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ସ୍ବାମୀ ଙ୍କ ମନ୍ଦିର, ସୂର‌୍ୟ୍ୟ ନାରାୟଣଙ୍କ ମନ୍ଦିର, ମା ବୃନ୍ଦାବତୀ ଙ୍କ ମଣ୍ଡପ ଗୁଡିକରେ ଅପୂର୍ବ ସାଜସଜ୍ଜା ସହ ନାନା ଉପଚାର ରେ ପୂଜା ପାଠ ଅନୁଷ୍ଠିତ ହୋଇଥିଲା ଯାହା କି ଆଖ ପାଖ ଗାଁର ଭକ୍ତ ଗଣ ଙ୍କୁ ବଡକୋଦଣ୍ଡା କୁ ଟାଣିଆଣିଥିଲା । ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦିଆ ସଂକିର୍ତ୍ତନ ଦିନ ସାରା ଅନବରତ ଚାଲୁରହି ଗାଁଟିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରେ ା ଗ୍ରାମବାସୀ ନିଜ ବନ୍ଧୁ ପରିଜନଙ୍କୁ ଘରକୁ ଆମନ୍ତ୍ରଣ କରି ମିଳି ମିଶି ଗାଁ ପରିକ୍ରମା କରି ସବୁ ମନ୍ଦିର ଗୁଡିକରେ ପୂଜା ଅର୍ଚ୍ଚନା କରୁଥିବା ଦୃଶ୍ୟ ଦେଖିବାକୁ ନିଆରେ ଲାଗେ । ଅପୂର୍ବ କଳା,ସଂସ୍କୃତିର ପାଟବତା ଏହି ଦିନ ଗାଁରେ ଫୁଟିଉଠେ ା ଗାଁରେ ବାସ କରୁଥିବା ଶିଳ୍ପୀ,କାରିଗର,କୁମ୍ଭାର ନିଜ ନିଜ ହାତ ତିଆରି ସାମଗ୍ରୀ ବିକ୍ରି ପାଇଁ ଦାଣ୍ଡରେ ରଖିଥାନ୍ତି ଯାହାକି ଗ୍ରାମୀଣ କୁଟୀର ଶିଳ୍ପକୁ ଉଜ୍ଜିବୀତ ରଖେ ା ଏହି ଦିନ ଗାଁର ଜନ ସାଧାରଣ ପରସ୍ପର ମିଳିମିଶି ଗାଁର ନାମ ଯଶ ପାଇଁ ପ୍ରାଚୀନ କାଳରୁ ଚଳି ଆସୁଥିବା କଳା ସଂସ୍କୃତିର ସୁରକ୍ଷା ପାଇଁ ହାତ ମିଳାଇ କାମ କରିଥାନ୍ତି ଯାହାକି ଅନନ୍ୟ ଓ ବିରଳ ଭାଇଚାରା ର ନିଦର୍ଶନ । ଏହି ଅବସରରେ ଗାଁରେ ସୂତା କଣ୍ଢେଇମାନ ମଧ୍ୟ ସ୍ଥାନେ ସ୍ଥାନେ ପ୍ରଦର୍ଶନ କରାଯାଏ । ଅତି ଆଡମ୍ବର ର ସହ ଏହି ବେଶ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ