ମହାବିଦ୍ୟାଳୟ ସମ୍ମୁଖରେ ହମ୍ପସ ପାଲଟିଛି ମରଣଜନ୍ତା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ମୁଖ୍ୟ ରାସ୍ତା କୋଣାର୍କ ଭଗବତୀ ମହାବିଦ୍ୟାଳୟ ସମ୍ମୁଖରେ ହମ୍ପସ ମରଣଜନ୍ତା ପାଲଟିଛି । କୋଣାର୍କ ଥାନା କୋଣାର୍କ-ଗୋପ ପୂର୍ତ୍ତ ବିଭାଗ ରାସ୍ତାର ମାଧିପୁର ଛକ ଓ ଭଗବତୀ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପୂର୍ତ୍ତ ବିଭାଗ ପକ୍ଷରୁ ବେଆଇନ ଭାବେ ନିର୍ମିତ ୪ଟିବଡ ହମ୍ପସ ଯୋଗୁଁ ବିଭିନ୍ନ ସମୟରେ ଯାତାୟତ କରୁଥିବା ଜନସାଧାରଣ ଓ ପର୍ଯ୍ୟଟକ ଦୁର୍ଘଟଣାର ଶୀକାର ହେଉଥିବା ଦେଖିବାକୁ ମିଳିଛି । ମଂଗଳବାର ବାଇକରେ ନିମାପଡାରୁ କୋଣାର୍କ ବଂଧୁ ଘରକୁ ଆସୁଥିବା ଦମ୍ପତି ଏହି ହମ୍ପସରେ ଦୂର୍ଘଟଣାର ଶୀକାର ହୋଇଥିଲେ। ଗୁରୁତର ଆହତ ହୋଇ ଥିବାରୁ ସେ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ମୁଣ୍ଡ ଓ ହାତ ରେ ୬ଟି ଷ୍ଟିଜ ପଡିଥିବା ଜଣାପଡିଛି । ଏହି ହମ୍ପସ ପୂର୍ବରୁ କୌଣସି ସାଇନେଜ ଓ ଧଳା ରଂଗ ମାର୍କିଂ ନଥିବାରୁ ଗାଡି ଚାଳକ ଦୂର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସକାଳ ଓ ସଂଧ୍ୟା ସମୟରେ ଶତାଧିକ ଦୁର୍ଘଟଣା ଗ୍ରସ୍ତ ହେବାର ନଜିର ରହିଛି। ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ଜାନୁଆରୀ ୮ ତାରିଖରେ କଟକ ଅଂଚଳର ଜଣେ ମହିଳା ଏହି ହମ୍ପସରେ ଦୂର୍ଘଟଣାରେ ମୄତ୍ୟୁ ବରଣ କରିଥିଲେ । ଏ ସମ୍ପର୍କରେ ଗୋପ ପୂର୍ତ୍ତ ବିଭାଗ ଜେଇ ନୀରବ ରହୁଥିବା ସାଧାରଣରେ ଅଭିଯୋଗ ହୋଇଛି । ତୁରନ୍ତ ଏହି ବେଆଇନ ହମ୍ପସକୁ ଅପସାରଣ କରାନଗଲେ ଜେଇଙ୍କ ବିରୋଧରେ ଥାନାରେ ଏକ ଫୌଜଦାରୀ ମାମଲା ରୁଜ୍ଜୁ କରିବା ପାଇଁ କୋଣାର୍କ ସାମ୍ବାଦିକ ସଂଘ ର ସମ୍ପାଦକ ମନୋରଂଜନ ପଣ୍ଡା ଦାବି କରିଛନ୍ତି ।