ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ : ୨ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଆର.ଉଦୟଗିରି ପୋଲିସକୁ ସଫଳତା ମିଳିଛି । ଗତକାଲି ବଡି ଭୋର ସମୟରେ ଗଜପତି ଜିଲ୍ଲାରୁ ସୁଦୁର ମହାରାଷ୍ଟ୍ରକୁ ୪୫.୪୦୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ବେଳେ ଆର୍.ଉଦୟଗିରି ପୋଲିସ ଜବତ କରିଛନ୍ତି । ଏହି ଘଟଣାରେ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଗଣତନ୍ତ୍ର ଦିବସ ଅବସରରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ ସହ ନାକା ପଏଣ୍ଟ ଗୁଡିକରେ ବିଭିନ୍ନ ଯାତାୟତ ଉପରେ ନଜର ରଖିଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ଭୋର ସକାଳ ସମୟରେ ଆର୍.ଉଦୟଗରି ଥାନାର ଏସ୍ଆଇ ମୁକେଶ ଲାକ୍ରାଙ୍କ ନେତୃତ୍ୱରେ ଅତରସିଂ ଛକ ଠାରେ ଯାଞ୍ଚ ବେଳେ ଏମ୍ଏଚ୍ ୧୫ ବିଏନ୍ ୫୦୧୯ ନମ୍ବର ବିଶିଷ୍ଟ ଏକ ଇନୋଭା କାର ଗାଡିକୁ ଅଟକାଇ ଡ୍ରାଇଭର ଓ ସହଯାତ୍ରୀଙ୍କୁ ପଚରାଉଚରା କରିଥିଲେ । ଏଥିରେ ସନ୍ଦେହ ହେବାରୁ ଗାଡି ଯାଞ୍ଚ କରିଥିଲେ । ଏହିଯାଞ୍ଚ ବେଳେ ୨ଗୋଟି ଜରି ବ୍ୟାଗରେ ୪୫.୪୦୦ ଗ୍ରାମ ଚୋରା ଗଞେଇ ଥିବାର ଦେଖିବାକୁ ପାଇଥିଲେ । ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିବା ସହ କାରକୁ ଜବତ କରିଥିଲେ । ଗିରଫ ଦ୍ୱୟ ହେଲେ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲା ପୁଲଗାଁଓ ଥାନା ଅନ୍ତର୍ଗତ ନାଚାନଗାଁଓ ପୀଠପୁରାର ମହମ୍ମଦ ସୟଦ ଅବ୍ଦୁଲ ଖାଲି ଏବଂ ହିଙ୍ଗନଘାଟ ଗ୍ରାମର ଅତିସ ରମଜାନ ପଠାଣ ବୋଲି ଜଣାପଡିଛି । ଊଭୟଙ୍କ ବିରୁଦ୍ଧରେ ଆର୍.ଉଦୟଗିରି ଥାନାରେ ୧୬/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାର ଆର୍.ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ଜବତ ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଆର୍.ଉଦୟଗରି ତହସିଲଦାର ନାରାୟଣ ବେହେରା ଉପସ୍ଥିତଥିଲେ ।