ଗାଁ ଗାଁରେ ତିବ୍ର ହେବ ନିର୍ବାଚନ ଲଢେଇ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଫେବୃଆରୀ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ ଓ ପ୍ରତ୍ୟାହାର ପ୍ରକିୟା ଶେଷ ହୋଇଛି । ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ମାହୋଲ ସରଗରମ ହୋଇ କ୍ରମଶଃ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ସବୁଠି ଦେଖିବାକୁ ମିଳିଛି ଛକାପଞ୍ଝା ଓ ତିବ୍ର ଲଢେଇର ସ୍ପଷ୍ଟ ଚିତ୍ର । ନିର୍ବାଚନ ପ୍ରକ୍ରିୟାର ପ୍ରଥମ ସୋପାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ପ୍ରାର୍ଥୀଙ୍କ ଲାଗି ପ୍ରତିଦ୍ବନ୍ଦିତା ସକାଶେ ନିର୍ବାଚନ ରଣାଙ୍ଗନ ଉନ୍ମକ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ଗତ ୨୫ ତାରିଖ ସୁଦ୍ଧା ହିଞ୍ଜିଳିକାଟୁ ବ୍ଲକ୍ ର ସର୍ବମୋଟ ୫୪୬ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ମୁକାବିଲା ହେବେ ବୋଲି ବ୍ଳକ ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀ ଠାରୁ ସୂଚନା ମିଳିଛି । ହିଞ୍ଜିଳିକାଟୁ ବ୍ଲକ୍ ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ପ୍ରଦତ୍ତ ସୂଚନା ଅନୁସାରେ ଓ୍ବାର୍ଡ ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଥିବା ୪୬୭ ପ୍ରାର୍ଥୀଙ୍କ ମଧ୍ୟରୁ ଯାଞ୍ଚରେ ୧୧ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ୨୫ ଜଣ ନିଜ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ୪୩୧ ଜଣ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ସେହିପରି ସରପଞ୍ଚ ପଦବୀ ସକାଶେ ୧୦୧ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଯାଞ୍ଚରେ ୨ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ୩୩ ଜଣ ନିଜ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ୬୬ ଜଣ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ଅନୁରୂପ ଭାବେ ସମିତି ସଭ୍ୟ ସକାଶେ ନାମାଙ୍କନ ଦାଖଲ କରିଥିବା ୭୧ ପ୍ରାର୍ଥୀଙ୍କ ମଧ୍ୟରୁ ଯାଞ୍ଚରେ ୩ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ୧୮ ଜଣ ନିଜ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ୫୦ ଜଣ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ସାମ୍ପ୍ରତିକ ନିର୍ବାଚନ ସ୍ଥିତିରୁ ହିଞ୍ଜିଳିକାଟୁ ବ୍ଲକ୍ ର ୪ ଗ୍ରାମ ପଞ୍ଚାୟତ ଯଥା ଭାବନ୍ଧ, ଦୟାପଲ୍ଲୀ, ପୋଚିଲିମା ଓ ସାହାପୁର ପଞ୍ଚାୟତରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ଵନ୍ଦୀ ଥିବା ଜଣାପଡିଛି । ଅନ୍ୟ ପକ୍ଷରେ ସରପଞ୍ଚ ପଦବୀ ସକାଶେ ୫ଟି ପଞ୍ଚାୟତରେ ଦ୍ବିମୁଖି , ୫ଟି ପଞ୍ଚାୟତରେ ତ୍ରିମୁଖି, ୪ଟି ପଞ୍ଚାୟତରେ ଚତୃମୁଖି ଓ ୩ଟି ପଞ୍ଚାୟତରେ ବହୁମୁଖି ଲଢେଇ ହେବା ସ୍ପଷ୍ଟ ଚିତ୍ର ମିଳିଛି । ସେହିପରି ସମିତି ସଭ୍ୟ ସକାଶେ ହିଞ୍ଜିଳିକାଟୁ ବ୍ଲକ୍ ର ୮ଟି ପଞ୍ଚାୟତ ଯଥା କଞ୍ଚୁରୁ, ଦୟାପଲ୍ଲୀ, ଦାରୁ ଭଦ୍ରା, ପୁଟିଆପଦର, ପୋଚିଲିମା, ଭାବନ୍ଧ, ସାହାପୁର ଓ ସିକିରି ଆଦି ଗ୍ରାମ ପଞ୍ଚାୟତରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଅପ୍ରତିଦ୍ଵନ୍ଦୀ ରହିଛନ୍ତି । ଅନ୍ୟ ପକ୍ଷରେ ସମିତି ସଭ୍ୟ/ସଭ୍ୟା ପଦବୀ ସକାଶେ ୩ଟି ପଞ୍ଚାୟତରେ ଦ୍ବିମୁଖି, ୬ଟି ପଞ୍ଚାୟତରେ ତ୍ରିମୁଖି, ୨ଟି ପଞ୍ଚାୟତରେ ଚତୃମୁଖି ଓ ୨ଟି ପଞ୍ଚାୟତରେ ବହୁମୁଖି ଲଢେଇ ହେବା ନିଶ୍ଚିତ ହୋଇଛି । ସବୁଠାରୁ ଉଲ୍ଲେଖଯୋଗ୍ୟ ସୂଚନା ହେଲା ଉଭୟ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ସକାଶେ ହିଞ୍ଜିଳିକାଟୁ ବ୍ଲକ୍ ର ଭାବନ୍ଧ, ପୋଚିଲିମା, ସାହାପୁର ଓ ଦୟାପଲ୍ଲୀ ପଞ୍ଚାୟତରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ବିରୁଦ୍ଧରେ କୈାଣସି ପ୍ରତିଦ୍ବନ୍ଦି ରହିନଥିବା ସୂଚନା ମିଳିଛି । ଫଳରେ ସଂପୃକ୍ତ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହେବା ଆଶା ପ୍ରକାଶ ପାଇଛି । ସାମ୍ପ୍ରତିକ ସୂଚନାରୁ ସଂଖ୍ୟାଧିକ ପ୍ରାର୍ଥୀ ନିର୍ବାଚନ ପ୍ରକ୍ରିୟାରେ ଅବତୀର୍ଣ୍ଣ ଥିବାରୁ ହିଞ୍ଜିଳିକାଟୁ ବ୍ଲକ୍ ର ୨୧ ଟି ପଞ୍ଚାୟତ ମଧ୍ୟରୁ ୧୭ ପଞ୍ଚାୟତରେ ସରପଞ୍ଚ ପଦବୀ ଓ ୧୩ ପଞ୍ଚାୟତରେ ସମିତି ସଭ୍ୟ/ସଭ୍ୟା ନିର୍ବାଚନ ଉଷ୍ମତା ବୃଦ୍ଧି ପାଇବା ସମ୍ଭାବନା ଦେଖାଦେଇଛି । ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହ କଡ୍ଡା ଟକର ହୋଇ ରାଜନୈତିକ ଚିତ୍ରପଟ ରୋଚକ ସ୍ଥିତିରେ ପହଞ୍ଚିବା ସ୍ପଷ୍ଟ ଆଭାସ ମିଳୁଛି । କରେ, ବଳେ, କୈାଶଳେ ପଦବୀ ହାତେଇବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରିବାକୁ ପ୍ରାର୍ଥୀ ମାନେ ସଜବାଜ ହେଉଥିବା ଦେଖିବାକୁ ମିଳିଛି । ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ ଭବିଷ୍ୟତ ନିର୍ଭର କରୁଥିବା ବେଳେ ପ୍ରାର୍ଥୀ ମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ପ୍ରାଣପଣେ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଫଳରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗାଁ ଗାଁ ରେ ଲଢେଇ ତିବ୍ର ଦେଖାଯିବା ସହ ପ୍ରାର୍ଥୀଙ୍କ ଲାଗି ଅଗ୍ନି ପରୀକ୍ଷା ସଦୃଶ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ