କୃଷିମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ୯ କେଜି କାଟ କାହିଁକି : ଶେଷଦେବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟରେ ଗୋଟିଏ ନିର୍ବାଚିତ ସରକାର ଅଛି ଓ ବିଭିନ୍ନ ବିଭାଗର ବିଭାଗୀୟ ମନ୍ତ୍ରୀ ଅଛନ୍ତି ଏମିତି ଏବେ ଅନୁଭବ କରିହେଉନି । ଚଳିତବର୍ଷ ଧାନ ମଣ୍ଡି ଓ ଧାନ କିଣା ଚରମ ଅବ୍ୟବସ୍ଥାରୁ ଏକଥା ଜଳ ଜଳ ଦେଖାଯାଉଛି । ଜୱାଦର ପୁରା ଫାଇଦା ଉଠାଇବାକୁ ମିଲର ଲାଗି ପଡ଼ିଛନ୍ତି । ନିର୍ବାଚନୀ ସମୟରେ ମିଲର ନିର୍ବାଚନୀ ଚାନ୍ଦା ଦେଉଥିବାରୁ ଯୋଗାଣମନ୍ତ୍ରୀ ଓ କୃଷିମନ୍ତ୍ରୀ ମଣ୍ଡିରେ ମିଲରଙ୍କ ଦାଦାଗିରି ନେଇ ପୁରାପୁରି ନୀରବ । ନିଜେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଘରୋଇ ବ୍ଲକ ଗଣିଆରେ ମଣ୍ଡିରେ କୁଇଣ୍ଟାଲ ପିଛା ୧୨କେଜି କାଟ୍ ହେଉଥିବା ବେଳେ ନୟାଗଡ ବ୍ଲକ ଓ ଓଡ଼ଗାଁରେ ୮ରୁ ୧୦ କୋଜି କାଟ୍ । ଏଭଳିକି ରାଜଧାନୀର ନାକତଳେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ମିଲର କହୁଛନ୍ତି କାଟ ନଦେଲେ ଧାନ ଉଠାଇବୁ ନାହିଁ । ଏଣେ କାଟକୁ ନେଇ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି ମିଲର କଟନି ଛଟନି କଲେ ଗିରଫ ହେବେ । ଯଦି ମନ୍ତ୍ରୀଙ୍କ ଏହା କଡ଼ା ନିର୍ଦ୍ଦେଶ, ତେବେ ବ୍ଲକସ୍ତରରେ ଧାନ ମଣ୍ଡି ତଦାରଖ ପାଇଁ ଗଠନ ହୋଇଥିବା ସ୍କ୍ୱାର୍ଡ଼ ଏ ନେଇ କରୁଛି କଣ? ନିଜେ ଯୋଗାଣମନ୍ତ୍ରୀ କୁଆଡ଼େ ଗଲେ? ଯୋଗାଣ ବିଭାଗ ମାର୍ଗଦର୍ଶିକା ଅନୁସାରେ ବ୍ଲକସ୍ତରରେ ଜଣେ ଓଏଏସ୍ସ୍ତରୀୟ ଅଫିସରଙ୍କୁ ନେଇ ସ୍କ୍ୱାର୍ଡ଼ ଗଠିତ ହେବା କଥା, ଏହା ହେଉନି । ଏବେ ମିଲରମାନେ କହୁଛନ୍ତି ଚାଷୀମାନେ ତଳେ ଧାନ ଅଜାଡ଼ି ଦିଅନ୍ତୁ, ଆମେ ଧାନ ତୋଳିକରି ନେବୁ । ପ୍ରକୃତପକ୍ଷେ ଏଭଳି ଢାଞ୍ଚାରେ ଧାନ ସଂଗ୍ରହ ହେବା କଥା । କିନ୍ତୁ ବର୍ଷ ବର୍ଷ ଧରି ଚାଷୀମାନଙ୍କ ଠାରୁ ମୁହଁବନ୍ଧା ଅଖାରେ ଧାନ ନେଇଥିବା ମିଲରମାନେ ବସ୍ତା ପିଛା ୮ଟଙ୍କା ୪୦ପଇସା ହିସାବରେ କେତେ ଷ୍ଟିଚିଙ୍ଗ ଫିସ୍ ଗତ ୧୦ବର୍ଷରେ ଲୁଟ୍ କରିଛନ୍ତି । ବର୍ଷ ବର୍ଷ ଧରି ଚାଷୀଙ୍କ ଠାରୁ ମୁହଁବନ୍ଧା ଅଖାରେ ଧାନ ନେଉଥିବା ମିଲର ଧାନ ତଳେ ଢାଳିବାକୁ କହୁଛନ୍ତି । ସେମାନେ ବିଗତବର୍ଷରେ କେତେ କୋଟି ଷ୍ଟିଚିଙ୍ଗ୍ ଫିସ୍ ବିନା କାରଣରେ ନେଇଛନ୍ତି । ସେହିଭଳି ମଣ୍ଡିରେ ହାଇକୋର୍ଟ ବାରଣ ସତ୍ତ୍ୱେ ମିଲରଙ୍କ ଏଜେଣ୍ଟ ରହୁଛନ୍ତି । ହେଲେ ଏ ସରକାରୀ ନିୟମକୁ ପୁରା ଫୁ କରିଦିଆଯାଇଛି । ମିଲରଙ୍କ ଏଜେଣ୍ଟମାନେ ହିଁ ସବୁ ବିଶୃଙ୍ଖଳାର ମୂଳ । ମଣ୍ଡିରେ ଏଭଳି କୌଶଳ ହୋଇଛି ଯେ, ବେପାରୀଙ୍କ ଖରାପ ଧାନରେ ମିଲର ଏଜେଣ୍ଟ ବମା ମାରି ୮ରୁ ୧୦କେଜି କାଟର କୌଶଳ ଅବଲମ୍ବନ କରୁଛନ୍ତି । ଧାନ କାଟର ପ୍ରଥମ କୌଶଳ ଯେ, ମିଲରମାନେ କହୁଛନ୍ତି କାଟ ନଦେଲେ ଆମେ ଧାନ ଉଠାଇବୁ ନାହିଁ । ଅଥଚ ସରଳ ସାଧାରଣ ଚାଷୀଟିଏ ଜାଣିପାରୁନି ଏମାନେ ଧାନ ଉଠାଇବାକୁ ଜିଲ୍ଲାପାଳଙ୍କ ସହ ଯୋଗାଣ ଅଧିକାରୀଙ୍କ ମାଧ୍ୟମରେ ଚୁକ୍ତିବଦ୍ଧ ହୋଇଛନ୍ତି । ମିଲରମାନେ ମୁକୁଳା ଷଣ୍ଢ ହୋଇ ଧାନ ଲୁଟିବାର କାରଣ ପ୍ରଶାସନର ନିଷ୍କ୍ରିୟତା । ସେହିଭଳି ଲେବର ଚାର୍ଜ ନିୟମ ଅନୁଯାୟୀ ମଣ୍ଡିରେ ସମବାୟ ସମିତି ଦେବା କଥା । କିନ୍ତୁ ଚାଷୀଙ୍କଠାରୁ ଏହା ଆଦାୟ କରାଯାଉଛି । ମଣ୍ଡିକୁ ମେଜେସ ଆସିବା ପରେ ସେହି ଚାଷୀଙ୍କ ତାଲିକା ସମବାୟ ଅଫିସରେ ମରାଯିବା କଥା । କିନ୍ତୁ ସମ୍ପାଦକମାନେ ଏହାକୁ ମାରୁନାହାଁନ୍ତି । ଧାନକିଣା ସ୍ଥାନରେ ପେକ୍ସ ତରଫରୁ ଅସ୍ଥାୟୀ ପରିଶ୍ରାଗାର, ପିଇବା ପାଣିର ବ୍ୟବସ୍ଥା ଓ ଛାମୁଡ଼ିଆ କରାଯିବା କଥା । ଆରଏମ୍ସିରୁ ଏ ନେଇ ସମବାୟ ସମିତିକୁ ଅର୍ଥ ମିଳୁଛି ହେଲେ ସେମାନେ କିଛି ବି କରୁନାହାଁନ୍ତି । ମଣ୍ଡି ବାଦ ମିଲରଙ୍କର ଚାଷୀଙ୍କୁ ଲୁଟିବାର ସବୁଠୁ ବଡ଼ କୌଶଳ ସେମାନେ ସିଧାସଳଖ ଚାଷୀଙ୍କ ଠାରୁ ୧୨୦୦/୧୩୦୦ରେ ଧାନ କିଣି ନେଉଛନ୍ତି । ପରେ ତାହାକୁ ଜାଲ ଚାଷୀଙ୍କ ନାମରେ ମଣ୍ଡିରେ ଜାଲ୍ କାଗଜପତ୍ର କରାଇ ଦେଉଛନ୍ତି । ଗୋଟିଏ କୁଇଣ୍ଟାଲରେ ଯଦି ମିଲରଙ୍କର ୫୦୦/୬୦୦ ଟଙ୍କା ଲାଭ ହେଲା ତେବେ ଲକ୍ଷ ଲକ୍ଷ ମେଟ୍ରିକ ଧାନ ସଂଗ୍ରହରେ ମିଲରଙ୍କ ରୋଜଗାର କେତେ ଶହ କୋଟି ହେବ? ବିଗତ ଦିନରେ ସିଏଜି ରିପୋର୍ଟରେ ଧାନକିଣାରେ ୪୦୦କୋଟି କଟନି ଛଟନି ଯାଉଛି ବୋଲି ତଥ୍ୟ ପ୍ରକାଶ ପାଇଛି । ହେଲେ ଏହା ସତ୍ତ୍ୱେ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ । ଚଳିତବର୍ଷ କଟନି ଛଟନିରେ ମିଲରଙ୍କ ଯେତେ ଦୌରାତ୍ମ୍ୟ ସେଭଳି ଆଗରୁ କେବେ ଦେଖାଦେଇନଥିଲା । ଧାନ ଘୋଟଲାର ସବୁଠାରୁ ବଡ଼ ନଗ୍ନଚିତ୍ର ବଲାଙ୍ଗୀର ପୁଇଁତଳା ବ୍ଲକର କୁବେଲପେକ୍ସ, ମଲମୁଣ୍ଡା ଓ ପୁଇଁତଳା ପେକ୍ସରେ ଦେଖିବାକୁ ମିଳିଛି । ଆଦୌ ଧାନକିଣା ନହୋଇ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିବାର ମିଛ ହିସାବ ମିଲର ଦେଖାଇଥିଲେ । ଧାନକିଣାରେ ଜିଲ୍ଲାପାଳ ମୁଖ୍ୟ ବ୍ୟକ୍ତି । କିନ୍ତୁ ଏସବୁ ସୁଧାରିବାରେ ସେ କେଉଁଠି ବି ସମ୍ପୃକ୍ତ ହେଉନାହଁନ୍ତି । ଏଆରସିଏସ୍, ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ କେହି ବି ଚାଷୀର ଦୁଃଖ ଶୁଣୁନାହାଁନ୍ତି । ଏଣୁ ସରକାର ରାଜ୍ୟରେ ଚାଲିଛି ନା ପୁରା ଭୁଷୁଡ଼ି ପଡ଼ିଲାଣି ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରଶ୍ନ ଉଠାଇଛନ୍ତି । ଯୋଗାଣମନ୍ତ୍ରୀ ଅସାଧୁ ମିଲରଙ୍କୁ ଗିରଫ ପାଇଁ ଆହ୍ୱାନ ଦେଇଥିଲା ବେଳେ ଏପର୍ଯ୍ୟନ୍ତ ମିଲରଙ୍କ କେଶ କାହିଁକି ସ୍ପର୍ଶ ହେଉନାହିଁ ବୋଲି ଶ୍ରୀ ନନ୍ଦ ପ୍ରଶ୍ନ ଉଠାଇଛନ୍ତି । ସପ୍ତାହ ମଧ୍ୟରେ ଯଦି ମଣ୍ଡିର ଅବସ୍ଥା ନ ସୁଧୁରେ, ତେବେ ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାସ୍ତାରୋକ ହେବ ବୋଲି ଶ୍ରୀ ନନ୍ଦ କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଉପସ୍ଥିତ ଥିଲେ ।


