କୋଭିଡ କଟକଣା ମଧ୍ୟରେ ସବୁଠି ପୂଜା ପାଇଲେ ମା’ସରସ୍ୱତୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ସହରଠାରୁ ପୁରପଲୀ ପର୍ଯ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ବାଗଦେବୀ ମାଆ ସରସ୍ୱତୀଙ୍କ ପୂଜା ଶନିବାର ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଲହର କରୋନା କଟକଣା କୋହଳ ହେବା ପରେ ଦୀର୍ଘ ଦୁଇବର୍ଷ ପରେ ବସନ୍ତ ପଞ୍ଚମୀ ଉତ୍ସବ ପାଳିତ ହୋଇଥିବା ଦେଖିବାକୁ ମିଳିଛି । ତେବେ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସାମାଜିକ ଦୂରତା ରକ୍ଷା ପୂର୍ବକ ବିଦ୍ୟାଳୟମାନଙ୍କରେ ମାଆଙ୍କର ଏହି ପୂଜାରେ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସହର ସମେତ ଜିଲାର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ନିରାଡ଼ମ୍ବର ଭାବେ ବିଧିରକ୍ଷା ପୂର୍ବକ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିବା ଲକ୍ଷ୍ୟ କରାଯାଇଛି । ବିଧି ଅନୁସାରେ ଛାତ୍ରଛାତ୍ରୀମାନେ ସଂକଳ୍ପ ଓ ପୁଷ୍ପାଞ୍ଜଳି ପ୍ରଦାନ ସହ ମାଆଙ୍କୁ ଆରାଧନା କରିଥିଲେ । ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ମାଆ ସରସ୍ୱତୀଙ୍କ ପୂଜା କରାଯାଇଛି । ଅନ୍ୟପକ୍ଷରେ ବାଲେଶ୍ୱର ସହରର କ୍ଲବମାନଙ୍କ ପକ୍ଷରୁ ମଣ୍ଡପରେ ସରସ୍ୱତୀ ପୂଜା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲେ ବି କିଛି କିଛି ମଣ୍ଡପରେ ନିରାଡ଼ମ୍ବର ପୂଜା କରାଯାଇଥିବା ଦେଖିବାକୁ ମିଳିଥିଲା । କରୋନାର ପ୍ରକୋପ ସମ୍ପୂର୍ଣ୍ଣ ହ୍ରାସ ପାଇବା ପରେ ଆଗାମୀ ଦିନରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବା ସହ ସମସ୍ତ ପର୍ବପର୍ବାଣୀ ଉତ୍ସବ ମୁଖର ହେବ ବୋଲି ସବୁ ମହଲରୁ ଆଶା ପ୍ରକାଶ କରାଯାଇଛି ।


