ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୈତନ୍ୟପୁର ଗ୍ରାମରେ ବୁଧବାର ରାତିରେ ନିଜ ସ୍ତ୍ରୀ ଝୁନୁ ସେଠୀର ଗଳାକାଟି ହତ୍ୟା ମାମଲାରେ ଆଜି ପୋଲିସ ଅଭିଯୁକ୍ତ ସ୍ୱାମୀ ହିରଣ୍ୟ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ପୋଲିସ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଛୁରୀକୁ ଜବତ କରିପାରିଛି । ସୂଚନା ପ୍ରକାରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁୁର ପଞ୍ଚାୟତ ଅନ୍ତର୍ଗତ ଉକ୍ତ ଗ୍ରାମରେ ବାସ କରୁଥିବା ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ଏପରିକି ଗତ ଦୁଇମାସ ହେଲା ଝୁନୁ ନିଜ ଭାଇ ରହୁଥିବା ଦିଗପହଣ୍ଡି କେନାଲ ସାହିରେ ରହି ଆସୁଥିଲେ । ତେବେ ବାହାରେ ରହୁଥିବା ପୁଅ କିଛି ଦିନ ତଳେ ଆସି ଗ୍ରାମସଭାରେ ସମାଧାନ କରି ଚୈତନପୁର ନିଜ ଘରକୁ ନେଇଯାଇଥିଲେ । ଏହାପରେ ପୁଅ ନିଜ କର୍ମସ୍ଥଳକୁ ଚାଲିଯିବା ପରେ ଉଭୟଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା । ତେବେ ବୁଧବାର ରାତିରେ କୈାଣସି କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବାପରେ ଝୁନୁ ଶୋଇବା ପାଇଁ ଚାଲି ଯାଇଥିଲେ । ତେବେ ଏଥିରେ ହିରଣ୍ୟ ନୃଶଂସ ପରାୟଣ ହୋଇ ଶୋଇଥିବ ଅବସ୍ଥାରେ ଏକ ଧାରୁଆ ଛୁରୀ ସାହାଯ୍ୟରେ ଗଳା କାଟିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା । ଏହାପରେ ସେ ନିଜେ ଉକ୍ତ ଛୁରୀରେ ନିଜକୁ ଆକ୍ରମଣ କରି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଅଭିଯୁକ୍ତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରିଥିଲା । ଗୁରୁବାର ଏନେଇ ପୋଲିସ ଥାନା ମାମଲା ନଂ ୬୧/୨୨ ଅନୁଯାୟୀ ଚିକିତ୍ସା ସରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ଜାମିନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।


