ସରପଞ୍ଚ ପ୍ରାର୍ଥୀନୀଙ୍କ ପ୍ରଚାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ମିନତୀ ଦାସ ଏହି ପଞ୍ଚାୟତର ବିଭିନ୍ନ ୱାର୍ଡରେ ନିର୍ବାଚନୀ ପ୍ରଚାର କରିଛନ୍ତି । ସେ କହିଛନ୍ତି ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି । ୨୦୧୯ ଏପ୍ରିଲ ମାସରେ ଭାଗବତପୁର ଗ୍ରାମପଞ୍ଚାୟତର ନିର୍ବାଚିତ ସରପଞ୍ଚଙ୍କ ଅକାଳ ବିୟୋଗ ଘଟିଥିଲା । ଫଳରେ ମୋ ସ୍ୱାମୀଙ୍କୁ ୬ ମାସ ପାଇଁ ଏହି ପଞ୍ଚାୟତର ସରପଞ୍ଚ ଦାୟିତ୍ୱ ମିିଳିଥିଲା । ସେହି ୬ ମାସ ମଧ୍ୟରେ ସେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ଏହାପରେ ୨୦୧୯ ନଭେମ୍ବରରେ ଏହି ପଞ୍ଚାୟତରେ ଉପନିର୍ବାଚନ ହୋଇଥିଲା । ମୋ ସ୍ୱାମୀ ଧରଣୀଧର ଦାସ ବିଜୟୀ ହୋଇ ଲୋକଙ୍କ ସେବା କରିବାର ସୁଯୋଗ ପାଇଥିଲେ । ସେ ବିଗତ ଦୁଇ ବର୍ଷ ମଧ୍ୟରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କର ଯେଉଁ ସବୁ ଅଧୂରା କାର୍ଯ୍ୟ ରହି ଯାଇଛି ତାହାକୁ ପୂରଣ କରିବା ପାଇଁ ମୁଁ ଚେଷ୍ଟା କରିବି । ଏଥିସହ ଏହି ପଞ୍ଚାୟତକୁ ସରକାର ଯେଉଁ ସବୁ ଯୋଜନା ପ୍ରଦାନ କରୁଛନ୍ତି ତାହାର କିପରି ସଫଳ ରୂପାୟନ ହେବ ସେ ନେଇ ଚେଷ୍ଟା କରିବି । ସରକାରୀ ଦସ୍ତାବିଜ ପଞ୍ଚାୟତବାସୀଙ୍କ ସମ୍ମୁଖରେ ସାର୍ବଜନିନ କରି ପଞ୍ଚାୟତର ଉନ୍ନତିରେ ନିଜେ ଭାଗିଦାରୀ ହେବି ଓ ପଞ୍ଚାୟତବାସୀଙ୍କୁ ଭାଗିଦାରୀ ବନାଇବି । ପଞ୍ଚାୟତରେ ପ୍ରତି ଘରେ ଘରେ କିପରି ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିବ ସେ ନେଇ ଉଦ୍ୟମ କରିବି ଓ ବୃଦ୍ଧାଶ୍ରମ ଖୋଲି ଅଲୋଡା ବୃଦ୍ଧବୃଦ୍ଧାଙ୍କୁ ଆଶ୍ରୟ ଦେବି ବୋଲି ସେ ଲୋକମାନଙ୍କୁ ପ୍ରଚାର ସମୟରେ କହିଛନ୍ତି । ସେ କହିଛନ୍ତି ଯେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଭୋଟରମାନେ ମୋତେ ବହୁମତ ପ୍ରଦାନ କରି ବିଜୟୀ କରିବେ । ବିଜୟୀ ହେବାପରେ ସ୍ୱାମୀଙ୍କ ଅଧୂରା ସ୍ୱପ୍ନ ପୂରଣ କରିବା ପାଇଁ ରାସ୍ତାଘାଟର ଉନ୍ନତି କରିବି, ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗ କରିବି । ସର୍ବୋପରି ଏହି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବି ବୋଲି ସେ ପ୍ରଚାର ବେଳେ ଭୋଟରଙ୍କୁ କହି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ।


