ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ରେ ୬ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ପରେ ପୁଲିସ ତାଙ୍କୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପାଖରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କୋଟଗଡ଼ ବ୍ଲକର ଜୁଡ଼ାବାଲି ପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ତଥା ବିଜେଡି ସଭାପତି ଷ୍ଟିଫେନ୍ ପ୍ରଧାନଙ୍କୁ କିଛି ବ୍ୟକ୍ତି ଫୋନ୍ କରି କୋଟଗଡ଼ ହାଇସ୍କୁଲ୍ ପାଖକୁ ଦେଖା କରିବା ପାଇଁ ଡାକିଥିଲେ। ଷ୍ଟିଫେନ୍ ତାଙ୍କର କିଛି ସହଯୋଗୀଙ୍କ ସହ ହାଇସ୍କୁଲ୍ ନିକଟକୁ କିଏ ଡାକୁଛି ବୋଲି ଭାବି ଦେଖାକରିବା ପାଇଁ ଆସିଥିଲେ। ପରେ ଆଗରୁ ପ୍ରସ୍ତୁତ ଥିବା ଦୁର୍ବୃତ୍ତ ମାନେ ଷ୍ଟିଫେନଙ୍କୁ ଜୋର୍ ଜବରଦସ୍ତି ଏକ ବୋଲେରୋ ଗାଡ଼ିରେ ବସାଇ ଅପହରଣ କରିନେଇଥିଲେ। ଷ୍ଟିଫେନଙ୍କ ସହ ଯାଇଥିବା ତାଙ୍କ ସହଯୋଗୀ ସଙ୍ଗେ ସଙ୍ଗେ ଘଟଣା ସଂପର୍କରେ ଗ୍ରାମବାସୀ ଓ ପୁଲିସକୁ ଜଣାଇଥିଲେ । ଗ୍ରାମବାସୀ ଏକାଠି ହୋଇ ମଧ୍ୟରାତ୍ରୀରୁ ସକାଳ ୭ଟା ପର୍ଯ୍ୟନ୍ତ ସ୍ଥାନୀୟ ମୁନିଗୁଡ଼ା-ତୁମୁଡ଼ିବନ୍ଧ ରାସ୍ତାକୁ ଅବରୋଧ କରିଥିଲେ। ଖବରପାଇ ବାଲିଗୁଡ଼ା ଏସଡିପିଓ ଗୁଣ୍ତାଲା ରାଘେବେନ୍ଦ୍ର ରେଡ଼ୀ ଓ ସ୍ଥାନୀୟ ଆଇଆଇସି ଧିରେଶ କୁମାର ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇ ରାସ୍ତାରୋକ ହଟାଇଥିଲେ । ତେବେ ଅପହରଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗ୍ରାମବାସୀ ଥାନା ଆଗରେ ବସି ରହିଥିଲେ । ପୁଲିସ ଷ୍ଟିଫେନଙ୍କ ମୋବାଇଲ୍ ନମ୍ବର୍ ଟ୍ରାକ୍ କରି ତାଙ୍କୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପାଖରୁ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ କେତେକ ଅପହରଣକାରୀଙ୍କୁ କାବୁ କରିଥିଲା । ଷ୍ଟିଫେନ୍ ଘଟଣା ସଂପର୍କରେ କୋଟଗଡ଼ ଥାନାରେ ୧୧ ଜଣଙ୍କ ନାମରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୨୪/୨୨ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଖବର ଲେଖାହେବା ସୁଦ୍ଧା ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସେମାନେ ହେଲେ ଗୁରୁଦେବ ମଳିକ, ମହାଦେବ ବଳିଆରସିଂ, ବାଦଲ ବଳିଆର ସିଂ, କରାସର ପାଟମାଝୀ, ସୁବାସ ମଳିକ ଓ ଆନନ୍ଦ କୁମାର ସିଂ। ଅନ୍ୟ ୫ ଜଣଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ